ହସ୍ପିଟାଲରେ ହଠାତ୍ ପହଁଚିଲେ, ସମସ୍ୟା ବୁଝିଲେ । ସବୁ ସୁବିଧା ଯୋଗାଇଦେବାକୁ ଡାକ୍ତରଙ୍କୁ ତାଗିଦ୍ କଲେ ମନ୍ତ୍ରୀ ପ୍ରତାପ ଜେନା ।

552

କନକ ବ୍ୟୁରୋ: ‘ମୋ ସରକାର’ର ମହାପ୍ରଭାବ । ଭୁବନେଶ୍ୱର ବିଏମସି ହସ୍ପିଟାଲକୁ ଅଚାନକ୍ ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆକ୍ଟିଭ୍ ମୋଡ ଦେଖାଇଯାଇଛି । ତେଣୁ ଆଜି ସକାଳୁ ସକାଳୁ ଭୁବନେଶ୍ୱର ବିଏମସି ହସ୍ପିଟାଲ ପରିଦର୍ଶନ କରି ପ୍ର୍ରତାପ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଏପରିକି ସରକାରୀ ହସ୍ପିଟାଲରେ କିଭଳି ରୋଗୀଙ୍କୁ ଚକିତ୍ସା ସେବା ପ୍ରଦାନ କରାଯାଉଛି ସେନେଇ ପଚାରି ବୁଝିବା ସହ ଡାକ୍ତରମାନେ କିଭଳି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟାଙ୍କ ସହିତ ବ୍ୟବହାର କରୁଛନ୍ତି ତାକୁ ନେଇ ମଧ୍ୟ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲିବୁଲି ଆଲୋଚନା କରିଥିଲେ ପ୍ରତାପ । ଆଉ ବିଏମସି ହସ୍ପିଟାଲର ଭିତ୍ତିଭୂମିରେ ଆଉ କ’ଣ ଉନ୍ନତି ହୋଇପାରିବ ଏବଂ କେଉଁ କ୍ଷେତ୍ରରେ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନ ପାଇଁ ଡାକ୍ତର ଏବଂ ବିଏମସି ହସ୍ପିଟାଲର କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ ପ୍ରତାପ ଜେନା ।

ଅନ୍ୟପଟେ ନବୀନ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଥିବା ପ୍ରତାପଙ୍କୁ ପୂର୍ବରୁ ମଧ୍ୟ ଅନେକ ସମୟରେ ଲୋକଙ୍କ ନିକଟତର ହୋଇଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅନ୍ୟ ବିଭାଗ ଦାୟିତ୍ୱ ତୁଲାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ର ମୂଳ ମନ୍ତ୍ରକୁ ଆଧାର କରି ଲୋକଙ୍କୁ ପ୍ରଥମିକତା ଦେଇ ମନ୍ତ୍ରୀ ଲୋକଙ୍କ ନିକଟତର ହେଉଛନ୍ତି । ତେବେ ସୂଚନା ମୁତାବକ, ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟକଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେନେଇ ମନ୍ତ୍ରୀ ଡାକ୍ତରମାନଙ୍କୁ ତାଗିଦ୍ କରିଛନ୍ତି । ଆଉ ମନ୍ତ୍ରୀଙ୍କ ଆକ୍ସନ୍ ମୋଡକୁ ଦେଖି ସାଧାରଣରେ ତାଙ୍କୁ ପ୍ରଶଂସା କରୁଛନ୍ତି ଲୋକେ ।