ସାଧାରଣତନ୍ତ୍ର ଦିବସରେ ଶକ୍ତି ଦେଖାଇଲା ସେନା : ଆକାଶର ଆକର୍ଷଣ ସାଜିଲେ ତ୍ରିଶୁଲ ଓ ତେଜସ

35

କନକ ବ୍ୟୁରୋ : ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜାତୀୟ ପତାକା ଉତ୍ତୋଳନକରିବା ପରେ ଉତ୍ସବମୁଖର ହୋଇପଡିଥିଲା ଦିଲ୍ଲୀର ରାଜପଥ । ଜାତୀୟ ସଂଗୀତ ବାଜିବା ମାତ୍ରେ ଦେଶପ୍ରୀତିର ଭାବରେ ସମସ୍ତେ ଯେମିତି ଭାବବିହ୍ୱଳ ହୋଇ ପଡୁଥିଲେ । ହେଲେ ସମସ୍ତଙ୍କ ଅପେକ୍ଷା ଥିଲା ରାଜପଥ ପରେଡରେ ପ୍ରଥମଥର ପାଇଁ ଭାଗ ନେଉଥିବା ଏନଏସଜି କମାଣ୍ଡୋଙ୍କୁ । ବ୍ୟାଣ୍ଡର ତାଳେ ତାଳେ ଆଗକୁ ବଢୁଥିଲେ ବ୍ଲାକ୍ କ୍ୟାଟ୍ କମାଣ୍ଡୋ କଂଟିଜେଣ୍ଟ । ଆଉ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।

ପ୍ରଥମ ଥର ପାଇଁ ୟୁଏଇ ବା ୟୁନାଇଟେଡ୍ ଆରବ୍ ଏମିରେଟର ସେନାବାହିନୀ ଭାଗ ନେଇଥିଲେ ରାଜପଥର ପରେଡ ଉତ୍ସବରେ । ସ୍ୱତନ୍ତ୍ର ଧୁନର ତାଳେ ତାଳେ ୧୪୪ଜଣ ବିଦେଶୀ ଜବାନ ଭାରତ ମାଟିରେ ଚାଲୁଥିଲେ ପାଦରେ ପାଦ ମିଳାଇ । ଯାହା ସାରା ବିଶ୍ୱକୁ ଦେଉଥିଲା ଏକତା ଓ ସଦଭାବନାର ସନ୍ଦେଶ ।

ଇଣ୍ଡିଆ ଗେଟରେ ଦିକ୍ ଦିକ୍ ହୋଇ ଜଳୁଥିଲା ଅମର ଜବାନ ଜ୍ୟୋତି । ଏପଟେ ରାଜପଥରେ ସମରକଳା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଥିଲା ଭାରତ । ତିନି ସେନାର ଦୁଃସାହାସିକ ସମରକଳା ପ୍ରଦର୍ଶନ ଦେଶବାସୀଙ୍କୁ ଯୋଗାଇ ଦେଉଥିଲା ଏକ ଅଦ୍ଭୁତ ସାହାସ ଓ ଏକ ଅଦୃଶ୍ୟ ଦମ୍ଭ ।

ରାଜପଥର ଅତିଥିଙ୍କ ଉପରକୁ ଆକାଶରୁ ଫୁଲବର୍ଷା କରୁଥିଲେ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ରୁଦ୍ର ଓ ଧୁବ । ଆଉ ମାଟି ଠାରୁ ମାତ୍ର ୩ଶହ ଫୁଟ୍ ଉଚ୍ଚରେ ତେଜାସ୍ ଦେଖାଇଥିଲା ନିଜ ତେଜ । ନେତ୍ର ଓ ତ୍ରିଶୁଳର ପ୍ରଦର୍ଶନ ବାୟୁସେନା ଠୁଳ କରିଥିବା ଗୋପନ ଶକ୍ତିକୁ ଜଣାଇ ଦେଉଥିଲା ।

ସମର ଶକ୍ତି ପ୍ରଦର୍ଶନର ଅନ୍ୟତମ ଆକର୍ଷଣ ସାଜିଥିଲା ସ୍ଥଳସେନାର ଶକ୍ତି ପାଲଟିଥିବା ଧନୁଷ୍ । ଭାରତୀୟ ଜ୍ଞାନକୈାଶଳରେ ନିର୍ମିତ ଏହି ତୋପ ବୋଫର୍ସ ଠାରୁ ବି ଆହୁରି ଶକ୍ତିଶାଳୀ । ଯାହାକୁ ଦେଖି ସାରା ଦେଶବାସୀଙ୍କ ଆତ୍ମବିଶ୍ୱାସ ବଢି ଯାଇଥିଲା ।