କାଲିଠାରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଟିକାର ପରୀକ୍ଷଣ: ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନେଇ ସୂଚନା ଦେଲା ସେରମ୍ ଇଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ

ସେପଟେ ରୁଷିଆ ଟିକା ପରେ କରୋନା ଔଷଧ ବିକ୍ରିକୁ ଅନୁମତି ଦେଲେ ପୁଟିନ୍ ସରକାର

82

କନକ ବ୍ୟୁରୋ: ଆସନ୍ତା ସପ୍ତାହରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପୁଣେ ସ୍ଥିତ ସାଶୁନ ଜେନେରାଲ ହସ୍ପିଟାଲରେ ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ମାନବ ପରୀକ୍ଷଣ ଆରମ୍ଭ କରିବ ବୋଲି ଜଣାପଡିଛି । ଖବର ସରୋବରାହ ସଂସ୍ଥା ପିଟିଆଇକୁ ଏହି ସୂଚନା ଦେଇଛନ୍ତି ଏହି ସରକାରୀ ହସ୍ପିଟାଲର ଡାକ୍ତର ମୁରଲିଧର ତାମ୍ବେ । ସେ କହିଛନ୍ତି, ଆସନ୍ତା ସପ୍ତାହରେ ଶାସୁନ ହସ୍ପିଟାଲରେ କୋଭିସିଲ୍ଡ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବ । ସୋମବାରରୁ ଏହା ଆରମ୍ଭ ହେବା ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ପରୀକ୍ଷଣ ପାଇଁ କେତେ ଜଣ ସ୍ୱେଚ୍ଛାସେବୀ ଚ୍ୟନ ହୋଇଥିବା ବେଳେ ପ୍ରାୟ ୧୫୦ରୁ ୨୦୦ ଜଣଙ୍କ ଦେହରେ ଏହି ଟିକା ପରୀକ୍ଷଣ କରାଯିବ ବୋଲି ଡାକ୍ତର ତାମ୍ବେ କହିଛନ୍ତି ।

ଟିକା ନେବାକୁ ଆଗ୍ରହୀ ଥିବା ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ ଆରମ୍ଭ ହୋଇ ସାରିଛି । ପୂର୍ବରୁ ସହରର ଅନ୍ୟ ଦୁଇ ହସ୍ପିଟାଲରେ ଏହି କୋଭିସିଲ୍ଡ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହାୟତାରେ ଆଷ୍ଟ୍ରା ଜେନିକା ଦ୍ୱାରା ଏହି କୋଭିସିଲ୍ଡ ପ୍ରସ୍ତୁତ କରାଯାଉଛି ଏବଂ ଭାରତରେ ଏହାର ପ୍ରସ୍ତୁତି ଓ ପରୀକ୍ଷଣ କରୁଛି ସେରମ ଇନ୍ଷ୍ଟିଚ୍ୟୁଟ୍ । ପୂର୍ବରୁ ଚଳିତ ମାସ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏହାର ପରୀକ୍ଷଣକୁ ସ୍ଥଗିତ ରଖିଥିଲା । କାରଣ ବ୍ରିଟେନରେ ଜଣେ ରୋଗୀଙ୍କ ଦେହରେ ଟିକାର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା । ଫଳରେ ଏହାର ପରୀକ୍ଷଣକୁ ସେଠାରେ ଆଷ୍ଟ୍ରା ଜେନିକା ସ୍ଥଗିତ ରଖିଥିଲା ।

ଅନ୍ୟପଟେ ଏନେଇ ସେରମ ଇନ୍ଷ୍ଟିଚ୍ୟୁଟ୍କୁ ଡିସିଜିଆଇ ନୋଟିସ ଜାରି କରିଥିଲେ । ଫଳରେ ଏହାର ପରୀକ୍ଷଣ ଭାରତରେ ମଧ୍ୟ ସ୍ଥଗିତ ରହିଥିଲା । ପରବର୍ତୀ ସମୟରେ ଗତ ୧୫ ତାରିଖରେ ଡିସିଜିଆଇ ଏହି ପରୀକ୍ଷଣ ଜାରି ରଖଥିବାକୁ ଅନୁମତି ଦେଇଥିଲେ । ଫଳରେ ଆସନ୍ତା ସୋମବାରରୁ ଅକ୍ସଫୋର୍ଡ ଟିକାର ମାନବ ପରୀକ୍ଷଣ ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି ।