କେନ୍ଦ୍ରାପଡା ରାଜକନିକାରେ ବାପର ଶବକୁ କାନ୍ଧରେ ବୋହିଲା ପୁଅ: ଚିକିତ୍ସାଧିକାରୀ କହିଲେ ବ୍ଲକରେ ଆରମ୍ଭ ହୋଇନି ମହାପ୍ରୟାଣ ଯୋଜନା

28

କେନ୍ଦ୍ରାପଡା : ବାପର ଶବକୁ କାନ୍ଧରେ ବୋହିଲା ପୁଅ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । କୋଠସାହି ଗାଁର ରବି ବାରିକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ଗତକାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଅର୍ଥ ଅଭାବରୁ ମୃତଦେହକୁ ଘରକୁ ନେବାକୁ ପରିବାର ଲୋକ ଅସମର୍ଥ ଥିଲେ । ପାଖରେ ଅର୍ଥ ନଥିବାରୁ ଶବ ନେବାର ବ୍ୟବସ୍ଥା କରିବା ପାଇଁ ମୃତ ରବୀନ୍ଦ୍ରଙ୍କ ପୁଅ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ହେଲେ ମେଡିକାଲ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ନକରିବାରୁ ଦୁଇ ଘଂଟା କାଳ ଡାକ୍ତରଖାନା ବାରଣ୍ଡାରେ ପଡିରହିବା ପରେ ବାପାର ଶବକୁ ପୁଅ ଓ ଭାଇ କାନ୍ଧରେ ବୋହି ଘରକୁ ବାହାରିଥିଲେ ।

ତେବେ କିଛି ବାଟ ଯିବା ପରେ ଜଣେ ସହୃଦୟ ବ୍ୟକ୍ତି ବାଇକରେ ଶବକୁ ନେଇ ଯାଇଥିଲେ । ସେପଟେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏଭଳି ସମ୍ବେଦନଶୀଳ ଘଟଣା ଘଟିଥିବା ବେଳେ ଚିକିତ୍ସାଧିକାରୀ ଜାଣିନଥିବା କହିଛନ୍ତି । ଏହାସହ ବ୍ଲକରେ ମହାପରାୟଣ ଯୋଜନା ଆରମ୍ଭ ହୋଇନଥିବା ଚିକିତ୍ସାଧିକାରୀ ଡାକ୍ତର ଅଜିତ୍ ଦାସ କହିଛନ୍ତି । ଶବ ବାହକ ଗାଡି ନଥିବାରୁ ନିଜ ବ୍ୟବସ୍ଥାରେ ମୃତଦେହ ନିଅନ୍ତି ପରିବାର ଲୋକ ।

ସ୍ତ୍ରୀର ଶବକୁ ଦାନମାଝୀ କାନ୍ଧରେ ବୋହିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ତରବରିଆ ଭାବେ ରାଜ୍ୟ ସରକାର ମହାପରାୟଣ ଯୋଜନା ଆରମ୍ଭ କଲେ । ହେଲେ ରାଜକନିକାର ଦୃଶ୍ୟ ଦେଖିଲେ ପ୍ରଶ୍ନ ଉଠୁଛି ସରକାରଙ୍କ ମହାପରାୟଣ ଯୋଜନା କାହା ପାଇଁ ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :