କାଲି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମମତା ବାନାର୍ଜୀ ।

274

କନକ ବ୍ୟୁରୋ : ଆସନ୍ତାକାଲି ଶପଥ ନେବେ ମମତା । ପଶ୍ଚିମବଙ୍ଗରେ ବିଜେପିର ବିଜୟ ରଥକୁ ରୋକିବାରେ ସଫଳ ହୋଇଥିବା ମମତା ବାନାର୍ଜୀ ଆସନ୍ତାକାଲି ରାଜ୍ୟରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ କ୍ଷମତାରେ ଥିବା ଟିଏମସି, ବିଜେପି ଓ ଏଲଡିଏଫ ପୁଣିଥରେ ସରକାର ଗଢିବାକୁ ଯାଉଛନ୍ତି ।

ନିର୍ବାଚନରେ ବିପୁଳ ବିଜୟ ପରେ ଟିଏମସି ସୁପ୍ରିମୋ ଗତକାଲି ଦଳର ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ କରିଥିଲେ । ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ବିଧାୟକମାନେ ମମତାଙ୍କୁ ସର୍ବସମତି କ୍ରମେ ବିଧାୟକ ଦଳ ନେତା ବାଛିଛନ୍ତି ।

ସେପଟେ ଇ ପଲାନିସ୍ୱାମୀ ସୋମବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏକ ନିରାଡମ୍ବର ଉତ୍ସବରେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ ୭ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କାର୍ଯ୍ୟକ୍ରମ ରହିଛି । କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ଯଦିଓ ଏଠାରେ ବିଜୟନ ପୁଣି ମୁଖ୍ୟମନ୍ତ୍ରୀ ହେବାନେଇ କୌଣସି ଦ୍ୱନ୍ଦ୍ୱ ନାହିଁ, ତଥାପି ସରକାର କେବେ ଗଠନ ହେବ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଆସାମରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନାହିଁ । କୁହାଯାଉଛି ସର୍ବାନନ୍ଦ ସୋନୱାଲଙ୍କ ଅପେକ୍ଷା ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ଆସନ ଦୌଡର ଆଗରେ ଅଛନ୍ତି । ୩୦ ଆସନ ବିଶିଷ୍ଟ ପୁଡୁଚେରୀରେ ଏନଡିଏ ୧୬ଟି ଆସନରେ ବିଜୟୀ ହୋଇଛି । ଏଠାରେ ଏନ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ରହିଛି ।