୨କ ପଣିକିଆ କହିପାରିଲେନି ବୋଲି, ଭାଙ୍ଗିଗଲା ଯୁବକଙ୍କ ବାହାଘର । ମଣ୍ଡପରୁ ଉଠିଗଲା କନିଆ ।

1,290

କନକ ବ୍ୟୁରୋ : ଗଣିତର ସାମାନ୍ୟ ପରୀକ୍ଷା ଏକ ବିବାହ ଭାଙ୍ଗି ଦେଇଛି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ଯୁବକ ୨କ ପଣିକିଆ କହି ନପାରିବାରୁ ତାଙ୍କର ବିହାଘର ଭାଙ୍ଗି ଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଶନିବାର ବର ବରଯାତ୍ରୀ ସହିତ ବିବାହ ମଣ୍ଡପରେ ପହଞ୍ଚିଥିଲେ । ତେବେ ବିବାହ ପାଇଁ ଅଳ୍ପ କିଛି ସମୟ ଥିବା ବେଳେ କନ୍ୟାଙ୍କୁ କୌଣସି ସୂତ୍ରରୁ ଖବର ମିଳିଲା କି ବର ପଢ଼ାଲେଖା ନୁହନ୍ତି । ତାଙ୍କୁ ମିଛରେ କୁହାଯାଇଛି କି ବର ଭଲ ପାଠପଢ଼ିଛି ବୋଲି ।

ତେଣୁ ବିବାହ ପୂର୍ବରୁ କନ୍ୟା ବରଙ୍କ ପରୀକ୍ଷା ନେବାକୁ ଚାହିଁଥିଲେ । ଏଥିପାଇଁ ସେ ପରିବାରଲୋକଙ୍କ ଠାରୁ ଅନୁମତି ବି ଆଣିଥିଲେ । ସମସ୍ତଙ୍କ ସାମ୍ନାରେ କନ୍ୟା ଗଣିତର ସାମାନ୍ୟ କିଛି ପ୍ରଶ୍ନ ପଚାରିବା ସହିତ ୨କ ପଣିକିଆ କହିବାକୁ ବରଙ୍କୁ କହିଥିଲେ ।

କନ୍ୟାଙ୍କ ଏଭଳି କଥା ଶୁଣି ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କୁ ୨କ ପଣିକିଆ ଆସୁ ନଥିବାରୁ ସେ ଚୁପ ହୋଇ ରହିଥିଲେ । ଏଥିରେ କନ୍ୟା ରାଗି ଯାଇ ଏବିବାହ ହୋଇପାରିବ ନାହିଁ ବୋଲି କହି ମଣ୍ଡପରୁ ଉଠି ଚାଲି ଯାଇଥିଲେ ।
ପରେ ଉଭୟ ପରିବାର ନିଜ ନିଜ ଭିତରେ କଥା ହୋଇ କ’ଣ କଲେ ସମାଧାନ ହୋଇପାରିବ ତାହା ସ୍ଥିର କରିଥିଲେ । ଏଥିସହିତ ବରଘର କନ୍ୟାଘର ଲୋକଙ୍କୁ ପୁଅ ପାଠପଢ଼ିଛି ବୋଲି ଯେଉଁ ମିଛ କଥା କହିଥିଲେ ସେଥିପାଇଁ କ୍ଷମା ମାଗିଥିଲେ । ଏହାପରେ ଉଭୟ ପରିବାର ଦିଆନିଆ ହୋଇଥିବା ଉପହାର ଫେରାଇ ଦେଇଥିଲେ ।