ଯାଜପୁରର ଆଉ ଏକ ନଗଡ଼ା ! ବେଙ୍ଗା ଆଦିବାସୀ ବସ୍ତିରେ ପୁଷ୍ଟିହୀନତାର ଶିକାର ଶିଶୁ

37

କନକ ବ୍ୟୁରୋ: ଅପପୁଷ୍ଟିର ଇଲାକା ପାଲଟିଛି ଅଗ୍ରଣୀ ଜିଲ୍ଲା ଯାଜପୁର । ସୁନାର ସୁକିନ୍ଦା ଛାତିରେ ନଗଡ଼ା ଆବିଷ୍କାର ଭଳି ଏବେ ଆଉ ଏକ ଇଲାକା ଠାବ ହୋଇଛି ବେଙ୍ଗା ଆଦିବାସୀ ସାହି; ଯେଉଁଠି ଅପପୁଷ୍ଟିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଶିଶୁ । ବେଙ୍ଗା ଆଦିବାସୀ ସାହିର ଲୋକଙ୍କ ପ୍ରମୁଖ ଖାଦ୍ୟ ହେଉଛି ଖଟାପଖାଳ। ହାଣ୍ଡିଆ ଏମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ।

ସୂଚନାନୁଯାୟୀ, ଶନିବାର ଏକ ସ୍ୱାସ୍ଥ୍ୟ ଟିମ୍ ବଡ଼ବରୁଣେଇପଦା ବେଙ୍ଗା ଆଦିବାସୀ ସାହିରେ ପହଞ୍ଚି ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରୀକ୍ଷାରୁ ୪ ଜଣ ସାମ୍ ଶିଶୁଙ୍କୁ ଚିହ୍ନଟ କରିଥିଲା । ସେମାନଙ୍କୁ ପୁଷ୍ଟିସାଧନ କେନ୍ଦ୍ର(ଏନଆରସି)କୁ ପଠାଇବା ପରେ ବହୁ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରାଯାଇଥିଲା । ମାତ୍ର ଔଷଧ ସେବନ ପାଇଁ ଆଦିବାସୀ ପିଲାଏ ମଙ୍ଗୁ ନାହାନ୍ତି । ସେପଟେ ହାଣ୍ଡିଆ ପିଇ ବାପାମାଆ ମସଗୁଲ୍ ରହୁଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି ଆଦୌ ସଚେତନ ନୁହନ୍ତି । ଏଭଳି ସ୍ଥିତିରେ ଆବଶ୍ୟକ ଜନସଚେତନତା ମଧ୍ୟ ସୃଷ୍ଟି କରାଯାଉନାହିଁ ।

କଳିଙ୍ଗନଗରର ମୁଖଶାଳା ବୋଲାଉଥିବା ପାଣିକୋଇଲି ଭଳି ଏକ ବିକଶିତ ଅଞ୍ଚଳ ନିକଟରେ ଏହି ଆଦିବାସୀମାନେ ରହୁଥିଲେ ହେଁ ଅନେକ ଅପପୁଷ୍ଟିର ଶିକାର ହୋଇଛନ୍ତି । ଦୀର୍ଘ ୪୦ ବର୍ଷ ହେଲା ଏଠାରେ ରହିବା ଫଳରେ ସରକାରଙ୍କ ଠାରୁ ଭୂମିହୀନ ଭାବେ ଜମି ପଟ୍ଟା ମଧ୍ୟ ପାଇଛନ୍ତି । ଏପରିକି ପଥରପଦା ପଞ୍ଚାୟତର ବାସିନ୍ଦା ହିସାବରେ ପ୍ରାୟ ସମସ୍ତେ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । କେତେକ ଗ୍ରାମୀଣ ଆବାସ ଯୋଜନାରେ ଘର ମଧ୍ୟ ପାଇଛନ୍ତି । ତେବେ ଦିନମଜୁରିଆ ଭାବରେ ପେଟ ପୋଷୁଥିବା ଏହି ଆଦିବାସୀମାନେ ସୁଷମ ଖାଦ୍ୟର ବ୍ୟବହାର ଜାଣନ୍ତି ନାହିଁ । ଏପରିକି ଅଙ୍ଗନବାଡ଼ିକୁ ଯାଉଥିବା ବହୁ ଶିଶୁ ସାଙ୍ଗରେ ହାଣ୍ଡିଆ ନେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ପଖାଳ ସାଙ୍ଗକୁ ଖଟାଶାଗ ଓ ତେନ୍ତୁଳି ହିଁ ଏମାନଙ୍କର ମୁଖ୍ୟ ଆହାର।

ସେହିପରି କୁଷ୍ଠାକ୍ରାନ୍ତଙ୍କ ସ୍ଥିତି ଆହୁରି ଉଦବେଗଜନକ । ସାହିର ମାତ୍ର ୭ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ସରକାରୀ ସ୍ତରରେ ଚିହ୍ନଟ ହୋଇଥିଲେ ହେଁ ପ୍ରକୃତରେ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ କୃଷ୍ଣ ମୁଣ୍ଡା(୩୨)ଙ୍କର ଗୋଟିଏ ପାଦ ନାହିଁ କି ହାତର କୌଣସି ଆଙ୍ଗୁଳି ନାହିଁ । ୨ ଝିଅ ଓ ୨ ପୁଅ ଥିବା ବେଳେ ୮ ମାସର ଗର୍ଭବତୀ ସ୍ତ୍ରୀ ସୁକୁମାରୀ ପାଇଟି କରି ଆଣୁଥିବା ଟଙ୍କାରୁ ଅଧା ଯାଏ ହାଣ୍ଡିଆ ନିଶାରେ । ବାକି ଅଧାରେ ସଂସାର ଚଳେ । ନିଶାର ଫାଇଦା ନେବାକୁ କେତେକ ଅସାମାଜିକ ଲୋକ ସାହିରେ ବିଦେଶୀ ମଦ କଳାବଜାର କରି ଏମାନଙ୍କୁ ଶୋଷଣ ବି କରି ଚାଲିଛନ୍ତି ।