୧୩ ଦିନରେ ପହଁଚିଲା ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ ! ଆଜି ପୁଣି ସମାବେଶ, ଅପରାହ୍ନରେ ଆଲୋଚନା

46

କନକ ବ୍ୟୁରୋ: ୧୩ ବିତିଲାଣି । ରାଜଧାନୀ ରାଜରାସ୍ତାରେ ଖରା ବର୍ଷାରେ କଟୁଛି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦିନରାତି । ତଥାପି ସରକାରଙ୍କ ନିଦ ଭାଙ୍ଗୁନି । ଗୋଟିଏ ପଟେ ଶିକ୍ଷକମାନଙ୍କ ଆନ୍ଦୋଳନ ଚାଲିଥିଲା ବେଳେ ଅନ୍ୟପଟେ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଠପ୍ । ସ୍ଥିତି ଦିନକୁ ଦିନ ବିଗିଡ଼ିଯାଉଥିବା ବେଳେ ପୁଣିଥରେ ସମାବେଶ କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ବ୍ଲକଗ୍ରାଣ୍ଟ ଉଚ୍ଛେଦ, ଚାକିରି ସର୍ତ୍ତାବଳୀ ସହ ଯୋଗ୍ୟ ବିବେଚିତ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ଦାବିରେ ସୋମବାର ତଥା ଆଜି ହେବାକୁ ଥିବା ସମାବେଶରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ସାମିଲ ହେବେ।

ବ୍ଲକଗ୍ରାଣ୍ଟ ପାଉଥିବା ଓ ପାଇବା ଅପେକ୍ଷାରେ ଥିବା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ପ୍ରଧାନଶିକ୍ଷକ, ଜିଲ୍ଲା ଓ ବ୍ଲକ ସଙ୍ଗଠନ ଦାୟିତ୍ୱରେ ଥିବା ସାଥୀମାନଙ୍କୁ ସମାବେଶ ଲାଗି ନିମନ୍ତ୍ରଣ କରାଯାଇଛି । ପୂର୍ବାହ୍ନ ୧୧ଟାରେ ଏହି ସମାବେଶ ଅନୁଷ୍ଠିତ ହେବ । ଏଥିପାଇଁ ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗତ ୨୪ ତାରିଖରେ ଅସମାପ୍ତ ରହିଥିବା ସରକାର-ଶିକ୍ଷକ ସଂଘର ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି । ବୈଠକ ନେଇ ରବିବାର ରାତି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଡାକରା ଆସିନାହିଁ । ବୈଠକ ହେବ କି ନାହିଁ ତାହାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା ମିଳିତ ବିବୃତ୍ତିରେ କହିଛନ୍ତି ଯେ, ଶିକ୍ଷକଙ୍କ ହକ୍ ଲାଗି ଆମେ ଲଢ଼େଇ କରୁଛୁ । ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଦାନ ସହ ଚାକିରି ସର୍ତ୍ତାବଳୀ ଲାଗୁ କରା ନ ଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁ ନାହିଁ । ଆଜି ହେବାକୁ ଥିବା ସମାବେଶରେ ୩୦ଟି ଯାକ ଜିଲ୍ଲାରୁ ପ୍ରାୟ ୫୦ ହଜାର ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ସାମିଲ ହେବେ । ୧୩ ଦିନର ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି । ବୁଦ୍ଧିଜୀବୀ, ଯୁବ, ଛାତ୍ର, ଶ୍ରମିକ, କୃଷକ ସଙ୍ଗଠନ, ଶିକ୍ଷକ ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ ସାମିଲ ହୋଇଛନ୍ତି । ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି । ଏକ ମାତ୍ର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ୨୪ ତାରିଖରେ ଯେଉଁ ଆଲୋଚନା ହୋଇଥିଲା ତାହା ଚୂଡ଼ାନ୍ତ ହୋଇ ନାହିଁ । ଅସମାପ୍ତ ରହିଥିବା ଆଲୋଚନା ଲାଗି ଆଜି ବୈଠକ ହେବ ବୋଲି କୁହାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସବୁଜ ସଙ୍କେତ ମିଳିନି । ତେଣୁ ଆମେ ଆନ୍ଦୋଳନ ଜାରି ରଖିବୁ ।

ଅନ୍ୟପକ୍ଷରେ ଧାରଣାରେ ବସିଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି । ଗତକାଲି ଦୁଇ ଜଣ ଶିକ୍ଷକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରବଳ ବର୍ଷାରେ ଲୋୟର ପିଏମଜିରେ ଗତକାଲି ବି ଧାରଣା ଜାରି ରହିଛି । ପାଲ ତଳେ ଛିଡ଼ା ହୋଇ ଶିକ୍ଷକମାନେ ହକ୍ ପାଇଁ ଲଢ଼େଇ କରୁଛନ୍ତି । ରାତିରେ ଶିକ୍ଷକ, ଶିକ୍ଷୟିତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।