ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁରରେ ଶେଷ ହେଲା ଅପରେସନ୍ ସଙ୍ଗମ୍ : ବିଏସଏଫ ଓ ଆଇଟିବିପିର ମିଳିତ ଅପରେସନ୍, ଧ୍ୱଂସ ହେଲା ୭ ମାଓ କ୍ୟାମ୍ପ

କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା; ଅପରେସନରେ ସହିଦ ହେଲେ ଦୁଇ ଯବାନ 

83

କନକ ବ୍ୟୁରୋ : ସାତ ମାଓ କ୍ୟାମ୍ପ ଧ୍ୱସ୍ତ। ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ସାତଟି ମାଓ ଶିବିର ଧ୍ୱସ୍ତ ହୋଇଥିବା ଜଣାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର ଅଞ୍ଚଳରେ ଏହି ଅପରେସନ ଚାଲିଥିଲା । ଘଟଣାସ୍ଥଳରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ । ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ଦେଇଛି ପୁଲିସ ।

ଏସଟିଏଫ୍, ଡିଆରଜି, ବିଏସଏଫ୍ ଏବଂ ଆଇଟିବିପି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିପାରିଛି । ଏକ ବଡ଼ ଧରଣର ମାଓ ଦମନ ଅପରେସନକୁ ମାଓବାଦୀ ସାମ୍ନା କରି ନ ପାରି ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀଙ୍କୁ ଡରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ପୁଲିସର ଅପରେସନ ବେଳେ ବରମଟୋଲ, କୁଦୁଲପାଡ଼, କୁମଚଲମେଟା, ଟେକମେଟା ଏବଂ କୁକୁରଗାଓଁର ଜଙ୍ଗଲ ଏବଂ ପାହାଡ଼ୀ ଇଲାକାରେ ପୁଲିସ ମାଓ କ୍ୟାମ୍ପ ଘେରାବନ୍ଦୀ କରିଥିଲା । ଏହି ସୂଚନା ପାଇ ପୁଲିସ ଉପରେ ଗୁଳି ଚଳାଇଥିଲେ ମାଓବାଦୀ ।

ତେବେ ପୁଲିସ ମାଓବାଦୀ ମଧ୍ୟରେ ଦୀର୍ଘ ସମୟ ଗୁଳିବିନିମୟ ହୋଇଥିଲା । ପୁଲିସର ଗୁଳିରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ଦେଇଛି ପୁଲିସ । ତେବେ ପୁଲିସ ଗୁଳିକୁ ସାମ୍ନା କରି ନ ପାରି ମାଓବାଦୀ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ । ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି ।