ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ପୁଣି ବିଶ୍ୱର ଚତୁର୍ଥ ସ୍ଥାନରେ ଭାରତ । ଗୋଟିଏ ସପ୍ତାହ ତଳେ ୧୧ ନମ୍ବର ସ୍ଥାନରେ ଥିଲା ଦେଶ

କରେନା ସଂକ୍ରମଣ: ପୁଣି ଚତୁର୍ଥ ସ୍ଥାନରେ ଭାରତ

966

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ ଭାବେ ମହାରାଷ୍ଟ୍ରରେ ପୁଣି ରେକର୍ଡ କରିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୮.୭୦୦ ଲୋକ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି   । ୪ ମାସ ପରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ଏହା ସବୁଠାରୁ ଅଧିକ ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ମୋଟ ୧୬,୫୭୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୦ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ  ୧ କୋଟି ୭ ଲକ୍ଷ ୫୦ ହଜାର ୬୮୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ଲକ୍ଷ ୫୫ ହଜାର ୯୮୬ ଜଣ ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫ ।  ପ୍ରତିଦିନ ବୃଦ୍ଧି ପାଉଥିବା ସଂକ୍ରମିତଙ୍କୁ ନେଇ ଭାରତ ଏବେ ବିଶ୍ୱର ଚତୁର୍ଥ କରୋନା ସଂକ୍ରମିତ ରାଷ୍ଟ୍ର ଭାବେ ଗଣନା କରାଯାଉଛି । ଗୋଟିଏ ସପ୍ତାହ ପୂର୍ବରୁ ଏହି ତାଲିକାରେ ଭାରତ ୧୧ ନମ୍ବର ଦେଶ ଭାବେ ପରିଗଣିତ ହେଉଥିଲା । ଏହି ତାଲିକାରେ ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ, ତୃତୀୟ ସ୍ଥାନରେ ଫ୍ରାନ୍ସ ରହିଛି ।

ଯଦି ଗତ ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟାକୁ ନଜର କରାଯାଏ ତେବେ ମହାରାଷ୍ଟ୍ରରେ ୮,୭୦୨, କେରଳରେ ୪,୧୦୬, ଗୁଜୁରାଟରେ ୩୮୦, ଦିଲ୍ଲୀ ୨୦୦, ଜଣ ନୂଆ ସଂକ୍ରମତି ଚିହ୍ନଟ ହୋଇଛନ୍ତି । ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୩୦ ଲକ୍ଷ ପାର ହୋଇଛି । ତାହା ମଧ୍ୟରୁ ୮ କୋଟି ୮୬ ଲକ୍ଷ ଲୋକ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।