କଟକ ଜଗତପୁରରେ ମାତିଲେ ଲୁଟେରା: ପରିବାର ଲୋକଙ୍କୁ ଗୋଟିଏ ଘରେ ତାଲା ପକାଇ ୩୦ ଭରି ସୁନା ଓ ଟଙ୍କା ଲୁଟିନେଇଥିବା ଅଭିଯୋଗ ।

315

କନକ ବ୍ୟୁରୋ: କଟକ ଜଗତପୁର ଅଂଚଳରେ ମାତିଲେ ଲୁଟେରା । ବନ୍ଧୁକ ମୁନରେ ଲୁଟିଲେ ୩୦ ଭରି ସୁନା । ବିଳମ୍ବିତ ରାତିରେ ଜଣଙ୍କ ଘରେ ପସି ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ କୋଠରିରେ ବନ୍ଦ କରି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୦ ଭରି ସୁନା ସହ ନଗଦ ୪୨ ହଜାର ଟଙ୍କା ଲୁଟିଛନ୍ତି ଦୁବୃତ୍ତ ।

ସୂଚନା ମୁତାବକ, କଟକ ଜଗତପୁର ଥାନା ନିୟୁ ତରୋଳରେ ଘଟିଛି ଏହି ଲୁଟ୍ ଘଟଣା । ଲୁଟେରାମାନେ ସୁଧାଂଶୁ ନାୟକଙ୍କ ଘର ଗିଲ୍ ଓ କବାଟ ଭାଙ୍ଗି ଘର ଭିତରେ ପଶି ଲୁଟ୍ କରିଛନ୍ତି । ଏପରିକି ପରିବାର ସମସ୍ତ ସଦସ୍ୟଙ୍କ ମୋବାଇଲରୁ ସିମ୍ କାଢ଼ି ଅକାମି କରି ଦେଇଥିଲେ । ଘଟଣା ସମ୍ବନ୍ଧରେ ପୋଲିସ କିମ୍ବା ଗଣମାଧ୍ୟମରେ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଛନ୍ତି ଲୁଟେରା । ଜଗତପୁର ଥାନା ଠାରୁ ଅଳ୍ପ କିଛି ଦୂରରେ ଏପରି ଲୁଟ୍ ପୋଲିସର ପାଟ୍ରୋଲିଂ ଉପରେ ପ୍ରଶ୍ନ ଉଠାଇଛି ।