ପୋଷା କୁକୁରର ପିଣ୍ଡଦାନ ! କୁକୁରର ଆତ୍ମା ଶାନ୍ତି ପାଇଁ ୧୨,୦୦୦ କି.ମି. ଦୂରରୁ ଆସି ଗଙ୍ଗାରେ ଅସ୍ତି ବିସର୍ଜନ କଲେ ପରିବାର ।

211

ଆଜିର ସମୟରେ ଯେଉଁଠି ଗୋଟିଏ ଘରେ ରହି ସୁଦ୍ଧା ଭାଇ ଭାଇ ମଧ୍ୟରେ ଭଗାରୀ ଭାବ ସୃଷ୍ଟି ହେଉଛି ସେହି ସମାଜରେ ପଶୁପକ୍ଷୀଙ୍କ ପ୍ରତି ପ୍ରେମ କ୍ୱଚିତ ହିଁ ଦେଖିବାକୁ ମିଳେ । ଯେଉଁ ସମୟରେ ଲୋକେ ନିଜର ପରିଜନ, ବନ୍ଧୁବର୍ଗଙ୍କୁ ଭୂଲି ଯାଉଛନ୍ତି , ବିହାରର ପୂର୍ଣ୍ଣିଆରେ ମାନବିକତାର ଏକ ଉଦାହରଣ ଦେଖିବାକୁ ମିଳିଛି । ପୋଷାକୁକୁରର ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଛନ୍ତି ଏକ ପରିବାର। ପୋଷା କୁକୁର ପ୍ରତି ଏଭଳି ଭଲପାଇବା , ସ୍ନେହ ଓ ଶ୍ରଦ୍ଧା ଏବେ କେଉଁଠି ନା କେଉଁଠି ମନୁଷ୍ୟ ଭିତରେ ବଞ୍ଚିରହିଥିବା ଦେଖି ଲୋକମାନେ ମଧ୍ୟ ଭାବୁକ ହୋଇପଡିଛନ୍ତି। ବିହାରର ପୂର୍ଣ୍ଣିଆ ମଧୁବନୀରେ ବାସ କରୁଥିବା ପ୍ରମୋଦ ଚୌହ୍ୱାନଙ୍କ ପଶୁ ପ୍ରତି ସ୍ନେହ ଏଠାକାର ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରମୋଦ କିଛିଦିନ ହେବ ନ୍ୟୁଜଲ୍ୟାଣ୍ଡରେ ବାସ କରୁଥିଲେ । ସେ ସେଠାରେ ଏକ ପୋଷା କୁକୁରକୁ ପାଳିଥିଲେ । ଯାହାର ନାଁ ଥିଲା ଲାଇକନ । ପ୍ରମୋଦଙ୍କ ପରିବାର ସଦସ୍ୟ ପରି ଲାଇକନ ତାଙ୍କ ଘରେ ରହୁଥିଲା । ପରିବାର ପରିଜନଙ୍କ ମୃତ୍ୟୁରେ ଯେଭଳି ଶେଷକୃତ୍ୟ ସଂପନ୍ନ କରାଯାଏ ସେହିପରି ପ୍ରମୋଦ କୁକୁରର ମଧ୍ୟ ସମସ୍ତ ପିଣ୍ଡ କାର୍ୟ୍ୟ ସଂପନ୍ନ କରିଛନ୍ତି ।

ପ୍ରଥମେ ହିନ୍ଦୁ ରୀତି ନୀତି ଅନୁସାରେ କୁକୁରକୁ ମୁଖାଗ୍ନି ଦେବା ପରେ ଭାରତର ପାଟଣା ସ୍ଥିତ ଗଙ୍ଗାନଦୀରେ ଅସ୍ତି ବିସର୍ଜନ କରିଛନ୍ତି । ଲାଇକନର ପିଣ୍ଡଦାନ ପରେ ଶ୍ରାଦ୍ଧ ମଧ୍ୟ କରିଛନ୍ତି ପ୍ରମୋଦ । ତାଙ୍କ ପରିବାର ଓ ବନ୍ଧୁଙ୍କ କହିବା ଅନୁଯାୟୀ, ପ୍ରମୋଦଙ୍କର ଛୋଟ ବେଳୁ ପଶୁମାନଙ୍କ ପ୍ରତି ଅହେତୁକ ଦୁର୍ବଳତା ରହିଛି । ପ୍ରମୋଦଙ୍କର ଘନିଷ୍ଠ ବନ୍ଧୁ ତାଙ୍କର ପଶୁପ୍ରେମ ଓ ମାନବିକତାର ପ୍ରଶଂସା ମଧ୍ୟ କରିଛନ୍ତି ।