ସରିଲା ଦଶହରା, ରାବଣ ପୋଡ଼ିିର ଆତସବାଜିରେ ରଙ୍ଗୀନ ହେଲା ଆକାଶ ! ଆଜି ବିଦାୟ ନେବେ ମା ଦୁର୍ଗା,ଭସାଣ ଉତ୍ସବ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା

104

କନକ ବ୍ୟୁରୋ : ସରିଲା ଦଶହରା । ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ । ରାଜଧାନୀରେ ଆଜି ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଭସାଣ ଉତ୍ସବରେ ଯେପରି କୌଣସି ବିଶୃଙ୍ଖଳା ନହୁଏ ସେଥିପାଇଁ ଟ୍ୱିନ୍ ସିଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ପାଳିତ ହୋଇଛି ରାବଣପୋଡି । ପୂଜାର ଶେଷ ଦିନରେ ଲୋକେ ବିଭିନ୍ନ ମେଢ ବୁଲି ଦେଖିବା ସହ ରାବଣ ପୋଡି ଦେଖିବାର ମଜା ନେଇଛନ୍ତି ।

ରାବଣ ପୋଡି ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ରାବଣର ପ୍ରତିକୃତିରେ ବାଣ ଖଂଜା ହୋଇଥିଲା । ଅଗ୍ନି ସଂଯୋଗ କରିବା ମାତ୍ରେ ବାଣ ଫୁଟିବା ସହ ଆକାଶ ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠିଥିଲା । ଆତସବାଜୀରେ ରଙ୍ଗୀନ ହୋଇପଡିଥିଲା ଆକାଶ । ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ରାବଣ ପୋଡି ଦେଖିବାକୁ ।

ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ୱରସ୍ଥିତ ବିଭିନ୍ନ ପୂଜା କମିଟି ପକ୍ଷରୁ ଗତକାଲି ରାତି ରାବଣ ପୋଡ଼ିର ଆୟୋଜନ କରାଯାଇଥିଲା । ସୁଉଚ୍ଚ ରାବଣ ଓ କୁମ୍ଭକର୍ଣ୍ଣର କୁଶପୁତ୍ତଳିକାକୁ ବାଣ ସାହାଯ୍ୟରେ ନିଆଁ ସଂଯୋଗ କରାଯାଇଥିଲା । ହଜାର ହଜାର ଦର୍ଶକ ରାବଣ ପୋଡ଼ି ଦୃଶ୍ୟ ଦେଖି ବିମୋହିତ ହୋଇଥିଲେ । ଏଥି ସହିତ ୪ ଦିବସୀୟ ଦଶହରା ସଂପନ୍ନ ହୋଇଛି । ଝାରପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ଲକ୍ଷାଧିକ ଟଙ୍କାର ବାଣ ଓ ଫଟୋକା ସାହାଯ୍ୟରେ ରାବଣ ପୋଡ଼ି କରାଯାଇଥିଲା । ଶାରଦୀୟ ଦୁର୍ଗାପୂଜା ଅବସରରେ ହୋଇଥିବା ରାବଣ ପୋଡ଼ି ପାଇଁ ରାଜଧାନୀର ଝାରପଡ଼ା, ସହିଦନଗର, ନୂଆପଲ୍ଲୀ ଓ ବରମୁଣ୍ଡା ପୂଜାମଣ୍ଡପ ନିକଟରେ ଳକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।