କର୍ମଚାରୀ ଛଟେଇ ପରେ ଅଡୁଆରେ ଅମାଜନ, ଶ୍ରମ ମନ୍ତ୍ରଣାଳୟ ଜାରିକଲା ନୋଟିସ୍

144

କନକ ବ୍ୟୁରୋ : ଇ-କମର୍ସ କମ୍ପାନୀ ଅମାଜନ କର୍ମଚାରୀ ଛଟେଇ କରିବା ପରେ ଏହାକୁ ନେଇ ଶ୍ରମମନ୍ତ୍ରଣାଳୟ ନୋଟିସ କରିଛି । କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମମନ୍ତ୍ରଣାଳୟ କମ୍ପାନୀକୁ ନୋଟିସ ଜାରି କରିଥିଲା । ସୂଚନା ମୁତାବକ ଏହି ଆମେରିକୀୟ ଇ-କମର୍ସ କମ୍ପାନୀ କିଛିଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଦେଇଥିଲା ।

ଏଭଳି ଛଟେଇ ପରେ ଟେକ୍ନିକାଲ କର୍ମଚାରୀ ସଂଗଠନ ୟୁନିୟନ ନେସେଂଟ ଇନଫରମେସନ ଟେକ୍ନୋଲୋଜୀ ଏମ୍ପେ୍ଲାଇଜ ସିନେଟ ତରଫରୁ ଶ୍ରମମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲା । ଅଭିଯୋଗ ମୁତାବକ କମ୍ପାନୀ କର୍ମଚାରୀ ଛଟେଇ ବେଳେ ଶ୍ରମମନ୍ତ୍ରଣାଳୟର ନିୟମ ମାନି ନଥିଲା ବୋଲି କୁହାଯାଇଛି । ଏଭଳି ଅଭିଯୋଗ ପରେ ଶ୍ରମମନ୍ତ୍ରଣାଳୟର ମୁଖ୍ୟ ଶ୍ରମ କମିଶନରଙ୍କ ଦସ୍ତଖତ ଥାଇ ଏକ ନୋଟିସ ଅମାଜନର ଭାରତୀୟ ପ୍ରତିନିଧିଙ୍କ ନିକଟକୁ ପଠାଯାଇଥିଲା । ଏନେଇ ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଅମାଜନକୁ ଆଜି (ବୁଧବାର) ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଦ୍ଦେଶରେ କୁହାଯାଇଛି କି ଅମାଜନର ଅଧିକାରୀ କିମ୍ବା କୌଣସି ଅଧିକୃତ ପ୍ରତିନିଧି ନିର୍ଦ୍ଧାରିତ ସମୟରେ ଦସ୍ତାବିଜ ସହ ଉପସ୍ଥିତ ହେବେ । ସଂଗଠନ ତରଫରୁ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପଠାଯାଇଥିବା ଅଭିଯୋଗରେ କୁହାଯାଇଛି କି ଅମାଜନ କର୍ମଚାରୀମାନଙ୍କ ଉପରେ ଚାପ ପକାଇ ସେମାନଙ୍କୁ ଚାକିରୀରୁ ନିଲମ୍ବିତ କରୁଛି ତେଣୁ ଏନେଇ ତଦନ୍ତ ହେବା ଆବଶ୍ୟକ ।

କହିରଖୁ କି ଅମାଜନ ପକ୍ଷରୁ ପ୍ରଥମେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଥିଲା । ଏହାପରେ ଗତ ସପ୍ତାହ ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିଛି । କମ୍ପାନୀ ତରଫରୁ କୁହାଯାଇଛି କି ଏମିତି ଅନେକ ପଦ ରହିଛି ଯେଉଁ ପଦ ପାଇଁ କର୍ମଚାରୀଙ୍କର ଆବଶ୍ୟକତା ନାହିଁ । ତେଣୁ ଯେଉଁ କର୍ମଚାରୀମାନଙ୍କୁ ଛଟେଇ ନୋଟିସ ପଠାଯାଇଛି ସେମାନଙ୍କର କାର୍ଯ୍ୟକାଳ ୨୦୨୩ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ରହିବ ।