ମେଟା, ଟ୍ୱିଟର ଓ ଅମାଜନ ପରେ ଏବେ ଏଚ୍.ପି କରିବ କର୍ମଚାରୀ ଛଟେଇ, ୧୨ ପ୍ରତିଶତ କର୍ମଚାରୀ ଛଟେଇ କରିବାକୁ କମ୍ପାନୀର ନିଷ୍ପତ୍ତି

102

କନକ ବ୍ୟୁରୋ : ଦେଶର ଆର୍ଥିକ ମାନ୍ଦାବସ୍ଥା, ୪୫ ବର୍ଷର ରେକର୍ଡ ଭାଙ୍ଗୁଛି ବେକାରୀ । ଖାଦ୍ୟ ସାମଗ୍ରୀ ଠାରୁ ଅତ୍ୟାବଶକୀୟ ସାମଗ୍ରୀର ଦର ଆକାଶଛୁଆଁ । ଏହାରି ମଧ୍ୟରେ ଏବେ ଦେଶର ବଡ ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ବ୍ୟସ୍ତ । ପ୍ରଥମେ ମେଟା, ଟ୍ୱିଟର ଓ ଅମାଜନ ପରେ ଏବେ ଦେଶର ବଡ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଚ.ପି କର୍ମଚାରୀ ଛଟେଇ କରିବ ବୋଲି ନିଷ୍ପତ୍ତି ନେଇଛି । ସୂଚନା ମୁତାବକ ଲାପଟପ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରସ୍ତୁତ କରୁଥିବା ଏଚ.ପି ୬ ହଜାର କର୍ମଚାରୀ ଛଟେଇ କରିବ । ଏହି ଛଟେଇ ଗୋଟିଏ ପର୍ଯ୍ୟାୟରେ ନକରି ୨୦୨୫ ମଧ୍ୟରେ ପର୍ଯ୍ୟାୟକ୍ରମେ ଏଭଳି ଛଟେଇ କରାଯିବ ବୋଲି ସୂଚନା ରହିଛି ।

ଏଚ.ପି କମ୍ପାନୀରେ ଏବେ ପାଖା ପାଖି ୫୦ ହଜାର କର୍ମଚାରୀ କାମ କରୁଛନ୍ତି । ଏଥିରୁ ୬ ହଜାର ଅର୍ଥାତ ୧୨ ପ୍ରତିଶତ କର୍ମଚାରୀ ଛଟେଇ କରିବାକୁ କମ୍ପାନୀ ଘୋଷଣା କରିଛି । ଏନେଇ କମ୍ପାନୀ ତରଫରୁ ତାର ୨୦୨୨ ଆର୍ଥିକ ରିପୋର୍ଟରେ ସୂଚନା ଦେଇଛି ।

କହିରଖୁ କି କରୋନା ମହାମାରି ପରେ କମ୍ପାନୀର ପିସି ଓ ଲାପଟପ ବିକ୍ରି ଭଲ ହୋଇଥିଲା । ହେଲେ ଏବେ ଏସବୁ ସାମଗ୍ରୀ ବିକ୍ରିରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି କମ୍ପାନୀ କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ସେପଟେ ମେଟା ତରଫରୁ ଗତ ୨ ସପ୍ତାହ ମଧ୍ୟରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି ।