ବିଧାନସଭାରେ ଉପସ୍ଥାପିତ ହେଲା ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ ରିପୋର୍ଟ । କମିଶନ କହିଲେ, ରହସ୍ୟ ଉପରୁ ପରଦା ହଟାଇବାକୁ ଅଧିକ ତଦନ୍ତ ଆବଶ୍ୟକ

287

କନକ ବ୍ୟୁରୋ : ବିଧାନସଭାରେ ଉପସ୍ଥାପନ ହେଲା ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ ରିପୋର୍ଟ । ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଏବେ ରହସ୍ୟମୟ ହୋଇଯାଇଛି । ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଅଧିକ ତଦନ୍ତ ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାବାଦ୍ ପୀଡିତାଙ୍କ ପରିଚୟ ଗୋପନ ରଖିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତଦନ୍ତର ଅଗ୍ରଗତି ସର୍ମ୍ପକରେ ଗଣମାଧ୍ୟମରେ ନ କହିବାକୁ ପୋଲିସ, ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କୁନ୍ଦୁଲି ଛକରୁ ପୀଡିତାଙ୍କ ପ୍ରତିମୂର୍ତ୍ତି ହଟାଇବା ଆବେଦନକୁ ମଧ୍ୟ ସରକାରଙ୍କ ପକ୍ଷରୁ ଅଗ୍ରାହ୍ୟ କରାଯାଇଛି ।

ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କୋରାପୁଟ ଜିଲ୍ଲା ଜଜ୍ କରିଥିଲେ । ଅକ୍ଟେବାର ୨୦୧୭ରେ କୁନ୍ଦୁଲି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପୂରା ରାଜ୍ୟରେ ଏହାକୁ ନେଇ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଜଙ୍ଗଲ ବାଟ ଦେଇ ଫେରିବା ବେଳେ ୪ ଜଣ ସୁରକ୍ଷାକର୍ମୀ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିରୋଧୀ ମାନେ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏସବୁ ଭିତରେ ଜାନୁଆରୀ ୨୨, ୨୦୧୯ରେ ଜୀବନ ହାରିଥିଲେ କୁନ୍ଦୁଲି ପୀଡିତା ।