ଚେତିଲା ପ୍ରଶାସନ ! ପ୍ରସବ ସମୟର ୧୦ ଦିନ ପୂର୍ବରୁ ଗର୍ଭବତୀ ମହିଳାକୁ ଅଣାଯିବ ସ୍ୱାସ୍ଥ୍ୟକେନ୍ଦ୍ର

31

କନକ ବ୍ୟୁରୋ : ଡେରିରେ ହେଉ ପଛେ ଚେତିଲା ପ୍ରଶାସନ । ଏଣିକି ଆଉ ଖଟିଆରେ ଆଉ ବୁହାହେବେନି ଗର୍ଭବତୀ । ଗର୍ଭବତୀ ମହିଳାଙ୍କୁ ଟ୍ରାକ୍ କରାଯାଇ ଛୁଆ ଜନ୍ମ ତାରିଖର ୧୦ ଦିନ ଆଗରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯିବ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ସ୍ୱାସ୍ଥ୍ୟ ବିଭାଗର ନୁଆ ତାଲିକା ପ୍ରସ୍ତୁତ କରାଯାଇ ଗର୍ଭବତୀ ମହିଳାଙ୍କୁ ଟ୍ରାକ କରାଯିବ ।

ଜନ୍ମ ସମୟ ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ଟ୍ରାକ କରି ସେମାନଙ୍କୁ ବୁଝାଇ ମାଆ ଗୃହ ହେଉ କି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କି ମୁଖ୍ୟ ଚିକିତ୍ସାଳୟରେ ଆଣି ରଖି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟ ଜିଲ୍ଳାରେ ହଜାରରୁ ଅଧିକ ଗାଁ ଅପହଂଚ ଇଲାକାରେ ରହିଛି । ବର୍ଷା ଦିନରେ ବିଭିନ୍ନ କାରଣରୁ ଏହି ଗାଁରେ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ଯିବା ସମ୍ଭବ ହେଉନି । ଫଳରେ ଗର୍ଭବତୀ ମାନେ ବିଭିନ୍ନ ସମୟରେ ଅସୁବିଧାରେ ପଡୁଛନ୍ତି ।

ନିକଟରେ ନାରାୟଣ ପାଟଣାରେ ଗର୍ଭବତୀ ମହିଳାଙ୍କ ଏକ ଖଟିଆରେ ବୋହି ନେବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହା କୋରାପୁଟ ଜିଲ୍ଲାକୁ ବେଶ ଲଜ୍ୱିତ କରିଥିଲା । ଘଟଣା ପରେ ଏବେ ଜିଲ୍ଲା ପ୍ରଶାସନର ନିନ୍ଦ ଭାଙ୍ଗିଛି । ଗର୍ଭବତୀଙ୍କୁ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଆଣି ପ୍ରସବ ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ସମ୍ଭାବ୍ୟ ବର୍ଷାକୁ ଦେଖି ୧୨ ଜଣ ଗର୍ଭବତୀ ମହିଳାଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅଣାଯାଇ ମାଆ ଗୃହରେ ରଖାଯାଇଛି ।