ମଦ ପାଇଁ ମୁହାଁମୁହିଁ ! ଦେଶୀମଦ ବିକ୍ରି କରୁଥିବା ମହିଳାଙ୍କ ହାତ ବାନ୍ଧି ରାସ୍ତାରେ ବିକ୍ଷୋଭ

21

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଗାଙ୍ଗପଡ଼ାରେ ପୁଲିସ ଗ୍ରାମବାସୀ ମୁହାଁମୁହିଁ । ଚୋରା ମଦବେପାରୀଙ୍କୁ ଗ୍ରାମବାସୀ ଅଟକ ରଖିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲା ପୁଲିସ । ଏହି ସମୟରେ ପୁଲିସ ଓ ଗ୍ରାମବାସୀ ଧସ୍ତାଧସ୍ତି ହୋଇଛନ୍ତି । ଫଳରେ ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପୁଲିସ ଉପରକୁ ଲୋକେ ଟେକାପଥର ମାଡ଼ କରିଛନ୍ତି । ଜଣେ ଆହତ ହୋଇଥିବାବେଳେ ୨ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡିଛି ।

ସୂଚନା ମୁତାବକ, ଆଜି ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳାମାନେ । ଏପରିକି ମଦ ବିକ୍ରି କରୁଥିବା ଗାଙ୍ଗପଡ଼ା ଗ୍ରାମର ଜଣେ ମହିଳାଙ୍କୁ ମଦବିରୋଧୀ ମହିଳାମାନେ ବାନ୍ଧି ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ନିକଟରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଛନ୍ତି । ଏପରିକି ମହିଳାଙ୍କୁ ଉଦ୍ଧାର କରିବାକୁ ଆସିଥିବା ପୁଲିସକୁ ମଧ୍ୟ ମହିଳାମାନେ ଠେଲାପେଲା କରିଛନ୍ତି ।

ତେବେ ବାରମ୍ବାର ମଦ ବିକ୍ରି ବନ୍ଦ ପାଇଁ ମହିଳାମାନେ ପ୍ରଶାସନ ପାଖରେ ଗୁହାରି କରୁଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୁଲିସର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ବେଆଇନ ମଦବେପାରିଙ୍କ ସହିତ ମିଶି ମହିଳାମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିଲେ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି ।

ଏପରିକି ଗତ ୩ ଦିନ ତଳେ ଏହି ମହିଳାମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏହି ବେଆଇନ ମଦକାରବାର ବନ୍ଦ କରିବାକୁ ନିବେଦନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଗାଙ୍ଗପଡ଼ା ଗାଁରେ ଚଢାଉ କରିବା ପାଇଁ ଅବକାରୀ ଅଧିକ୍ଷକଙ୍କୁ କହିଥିଲେ । ମାତ୍ର ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ମହିଳାମାନେ ଆଜି ଉତ୍ତ୍ୟକ୍ତ ହୋଇ ଏପରି କାଣ୍ଡ କରିଛନ୍ତି ।