ବ୍ୟାପିଲା କର୍ଣ୍ଣାଟକ କନ୍ଦଳ ! ସମାନ ଫର୍ମୁଲାରେ ଗୋଆ ଓ ମଣିପୁରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ
କନକ ବ୍ୟୁରୋ : ବ୍ୟାପିଲା କର୍ଣ୍ଣାଟକ କନ୍ଦଳ । ସମାନ ଫର୍ମୁଲାରେ ଗୋଆ ଓ ମଣିପୁରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲେ କଂଗ୍ରେସ ନେତା । ବିହାରରେ ବି ସରକାର ଗଢ଼ିବାକୁ ଦାବି ଜଣାଇଲେ ଆରଜେଡିର ତେଜସ୍ୱୀ ଯାଦବ । କାରଣ ଏହି ୩ ରାଜ୍ୟରେ ସବୁଠାରୁ ବଡ ଦଳ ସରକାର ନକରି ଅନ୍ୟ ଦଳଙ୍କ ସହ ମେଂଟ କରି ସରକାର ଗଢିଛି ବିଜେପି । ଏହି ଦାବି ନେଇ ବିରୋଧୀ କଂଗ୍ରେସ ଓ ଆଜେଡି ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । କର୍ଣ୍ଣାଟକ ନ୍ୟାୟର ଦ୍ୱାହି ଦେଇ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । କର୍ଣ୍ଣାଟକରେ ବିଜେପି ସରକାର ଗଠନ ପରେ ଏବେ ସାଧାରଣରେ ବି ପ୍ରଶ୍ନ ଉଠିଛି, ଯଦି କର୍ଣ୍ଣାଟକରେ ବିଜେପିକୁ ସୁଯୋଗ ମିଳିଲା, ତେବେ ଅନ୍ୟ ଦଳକୁ କାହିଁକି ନୁହେଁ?
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପ୍ରତିବାଦରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛି କଂଗ୍ରେସ । ଏଥିପାଇଁ ଦଳର କର୍ମୀମାନେ ବେଙ୍ଗାଲୁରୁର କଂଗ୍ରେସ ଭବନରୁ ରାଜ୍ୟପାଳଭବନ ଯାଏ ଏକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ବିଭିନ୍ନ ଜିଲ୍ଲା ଓ ରାଜ୍ୟର ମୁଖ୍ୟାଳୟଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ଏପଟେ ବହୁମତ ଦେଖାଇବାକୁ ବିଜେପି ଓ କଂଗ୍ରେସ-ଜେଡିଏସ ଶିବିର ଉଦ୍ୟମ ଜାରି ରଖିଛନ୍ତି । ଗତକାଲି ରାତିରେ ପୁଣି ବେଙ୍ଗାଲୁରୁରୁ ବାହାରିଥିବା କଂଗ୍ରେସ ବିଧାୟକମାନେ ଆଜି ହାଇଦ୍ରାବାଦରେ ପହଁଚିଛନ୍ତି । ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ବିଧାୟକମାନେ ପହଁଚିଛନ୍ତି । ତେବେ ଦୁଇଜଣ ବିଧାୟକ ରାଜଶେଖର ପାଟିଲ ଓ ପ୍ରତାପ ଗୌଡ ପାଟିଲ ଏବେ ବି କଂଗ୍ରେସ ସହ ସମ୍ପର୍କରେ ନାହାନ୍ତି । କଂଗ୍ରେସ ଦାବି କରିଛି , ବିଜେପିର କିଛି ବିଧାୟକ ସେମାନଙ୍କ ସମ୍ପର୍କରେ ଅଛନ୍ତି । ସେହିଭଳି ଜେଡିଏସର ବିଧାୟକ ବି ଗତକାଲି ବେଙ୍ଗୁଲୁରୁର ହୋଟେଲ ଛାଡିଛନ୍ତି । କିଛି ବିଧାୟକ କେରଳର କୋଚି ଓ ଆଉ କିଛି ବିଧାୟକ ହାଇଦ୍ରବାଦ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଓଡିଶାରେ ମଧ୍ୟ କର୍ଣ୍ଣାଟକରେ ୟେଦୁରପ୍ପାଙ୍କୁ ସରକାର ଗଠନ କରିବାକୁ ସୁଯୋଗ ଦେବାର ପ୍ରତିବାଦ କରାଯାଇଛି । ଏହାକୁ ଅଗଣତାନ୍ତ୍ରୀକ ଦର୍ଶାଇ ସମ୍ବିଧାନକୁ ବଂଚାଇବା ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ଅଖିଳ ଭାରତୀୟ କଂଗ୍ରେସର ଆହ୍ୱାନରେ ଆଜି ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଇଥିଲା । ସବୁ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ପ୍ରଜାତନ୍ତ୍ର ବଂଚାଓ ଆନ୍ଦୋଳନ କରିଛନ୍ତି କଂଗ୍ରେସ କର୍ମୀ ।