ନ୍ୟାୟାଳୟ ଇତିହାସରେ ନିଆରା ପ୍ରୟାସ, ଗୋଟିଏ ଦିନରେ ୧୯୦ ଟି ମାମଲାର ଶୁଣାଣି କଲେ ଏହି ବିଚାରପତି

112

କନକ ବ୍ୟୁରୋ : ନ୍ୟାୟଳୟରେ ପଡି ରହିଛି ଲକ୍ଷ ଲକ୍ଷ ମାମଲା । କର୍ମଚାରୀ ଅଭାବ ଓ ବିଭିନ୍ନ କାରଣ ଦୃଷ୍ଟିରୁ ଏସବୁ ମାମଲାର ଶୁଣାରିରେ ଡେରି ହେଉଛି । ହେଲେ ବମ୍ବେ ହାଇକୋର୍ଟର ବିଚାରପତି ଗୋଟିଏ ଦିନରେ ୧୯୦ ରୁ ଉର୍ଦ୍ଧ ମାମଲାର ଶୁଣାରି କରି ଏକ ଇତିହାସ ସୃଷ୍ଟି କରିଛନ୍ତି । ଗୁରୁବାର ସକାଳ ୧୦.୩୦ ରୁ ରାତି ୮ ଟା ପର୍ଯ୍ୟନ୍ତ ବସି ଏହି ଖଣ୍ଡପୀଠ ୧୯୦ ରୁ ଉର୍ଦ୍ଧ ମାମଲାର ଶୁଣାଣି କରିଛନ୍ତି । ବିଚାରପତିଙ୍କ ଏଭଳି କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଅଜସ୍ର ପ୍ରଶଂସା କରିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟରେ ସେ ବିଚାରପତି ଏସ ଏସ ସିନେ୍ଧଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ‘ବାର ଆଣ୍ଟ ବେଞ୍ଚ’ ରିପୋର୍ଟ ମୁତାବକ ଗୁୁରୁବାର ଦିନ ଏହି ଖଣ୍ଡପୀଠ ପାଖରେ ୨୦୦ ରୁ ଅଧିକ ମାମଲାର ଶୁଣାଣି କରିବାର ଥିଲା । ହେଲେ ହାଇକୋର୍ଟଙ୍କ କାର୍ଯ୍ୟ ସମୟ ଅବଧି ୧୦.୩୦ ରୁ ୪.୩୦ ପର୍ଯ୍ୟନ୍ତ ଚାଲିବା ପରେ ବି ଏହି ମାମଲାଗୁଡିକର ଶୁଣାଣି ଶେଷ ହୋଇ ନଥିଲା । ଏଣୁ ଖଣ୍ଡପୀଠ ସ୍ଥିର କରିଥିଲା କି କାର୍ଯ୍ୟ ସମୟ ପରେ ମଧ୍ୟ ଶୁଣାଣି ଜାରି ରହିବ । ଏହି ନିଷ୍ପତ୍ତି ପରେ ଖଣ୍ଡପୀଠ କୋର୍ଟ ନିର୍ଦ୍ଧାରିତ ସମୟ ପରେ ବି ଶୁଣାଣି ଜାରି ରଖିଥିଲେ ଓ ୧୯୦ ରୁ ଉର୍ଦ୍ଧ ମାମଲାର ଶୁଣାଣି କରିଥିଲେ ।

କହିରଖୁ କି କୋର୍ଟ ସମୟ ବାହାରେ ଶୁଣାଣି ହେବା ଏହା ପ୍ରଥମ ଘଟଣା ନୁହେଁ । ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ବିଚାରପତି ଏସଜେ କାଠୱାଲା ମଧ୍ୟ ଗୋଟିଏ ଦିନରେ ୧୫୦ ମାମଲାର ଶୁଣାଣି କରିଥିଲେ ।