ବାରବାଟୀରେ ଟିକେଟ କିଣାକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଧନୀଙ୍କ ପାଇଁ ଧାଡିରେ ଛିଡା ହୋଇ ଟିକେଟ୍ ନେଲେ ଦିନ ମଜୁରିଆ

395

କନକ ବ୍ୟୁରୋ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ପାଇଁ ଟିକେଟ କିଣିବାକୁ ଆସିଥିଲେ ମଧ୍ୟ କାହା, କାହା ଭିତରେ ଖେଳ ହେଉଛି ସେମାନେ ଜାଣିନାହାନ୍ତି । ଚର୍ଚ୍ଚା ହେଉଛି ଧନୀ ଲୋକମାନେ ଧାଡିରେ ଛିଡା ନହୋଇ ମଜୁରିଆଙ୍କୁ ଟିକେଟ କାଉଣ୍ଟର ବାହାରେ ଛିଡା କରି ଟିକେଟ ହାତେଇଛନ୍ତି । ଏପରିକି ଟିକେଟ କଳାବଜାରୀ କରିବା ଉଦ୍ଦେଶ୍ୟରେ ମଧ୍ୟ ଲୋକ ଲଗାଇ ଟିକେଟ ସଂଗ୍ରହ କରାଯାଇଛି ।

ଗତକାଲି ୧୨ ହଜାର ଟିକେଟ୍ ପାଇଁ ୯ଟି କାଉଣ୍ଟର ଖୋଲା ଯାଇଥିବାବେଳେ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର କାଉଣ୍ଟର ଉଦ୍ଦିଷ୍ଟ ଥିଲା । ଆଉ ଏହି ସ୍ୱତନ୍ତ୍ର କାଉଣ୍ଟରରେ ବସ୍ତି ମହିଳାଙ୍କୁ ଛିଡା କରାଇ ଟିକେଟ କିଣିଛନ୍ତି ଦଲାଲ । ଏପରିକି ଖରାରେ ଟିକେଟ ନେବାପାଇଁ ଧାଡିରେ ଛିଡା ହୋଇଥିବା ମହିଳାଙ୍କୁ କଳାବଜାରୀମାନେ ପାଣି ଓ ବିସ୍କୁଟ ଯୋଗାଇ ଦେଉଥିବା ଦେଖାଯାଇଥିଲା । ଅଭିଯୋଗ ହେଉଛି ଜଣେ ମହିଳାଙ୍କୁ ୪୦୦ରୁ ୫୦୦ ଟଙ୍କା ଦେଇ ବସ୍ତି ମହିଳାଙ୍କୁ ଧାଡିରେ ଛିଡା କରାଇଥିଲେ କଳାବଜାରୀ ।

ତେଣୁ ପଇସା ପାଇ ଏମାନେ ଦାର୍ଘ ସମୟ ଧାଡିରେ ଛିଡା ହେବା ସହ ଟିକେଟ ହାତେଇ ନେଇଥିଲେ । ଏକାଧିକ ବୟସ୍କ ମହିଳା ଓ ପୁରୁଷ ବସ୍ତିବାସିନ୍ଦା ଟିକେଟ କାଉଣ୍ଟର ଆଗରେ ଲାଇନ ଲଗାଇଥିବା ଦେଖାଯାଇଥିଲା । ଫଳରେ ଗତକାଲି ସକାଳ ୯ଟାରୁ ସଂଧ୍ୟା ୬ଟା ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇଗଲା । ଆଉ ଏବେ ତାହା ସୋସିଆଲ ମିଡିଆରେ ବିକ୍ରି ଚାଲିଛି । ୫ଶହ ଟଙ୍କାର ରିକେଟ ୫ ହଜାର ଟଙ୍କାରେ ବିକ୍ରି ହେବାପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଛି ।