ଅମିତ ଶାହା ବର୍ଷିଲେ, ପ୍ରଶଂସାରେ ପୋତି ପକାଇଲେ ଜେଟଲୀ : ନବୀନଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଓ ରୁଦ୍ଧଦ୍ୱାର ଆଲୋଚନା ନେଇ ଚର୍ଚ୍ଚା

36

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ପରେ ବେଶ ଉତ୍ସାହିତ ହୋଇ ପଡିଥିଲେ ରାଜ୍ୟ ବିଜେପି ନେତୃବୃନ୍ଦ । ଉତଫୁଲିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଥିଲେ ନେତାମାନେ । ହେଲେ ଗତକାଲି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଯେଭଳି ଭାବେ ନବୀନ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଲେ, ତାହା ହୋସ ଉଠାଇ ଦେଇଛି ରାଜ୍ୟ ବିଜେପିର ।

କେବଳ ସେତିକି ନୁହେଁ  ଦୁଇ ପୁରୁଣା ବନ୍ଧୁ ଜେଟଲୀ ଓ ନବୀନ ଯେଭଳି ଭାବେ ଅନ୍ତରଙ୍ଗ ଆଳାପ କଲେ, ନବୀନ ତାଙ୍କ ହାତ ଧରି ନବୀନ ନିବାସ ନେଇ ନିଜ ସହ ଲଂଚ ଖୁଆଇଲେ, ତାହା କେବଳ ରାଜନୈତିକ ସମୀକ୍ଷକଙ୍କୁ ନୁହେଁ ଦୁଇ ଦଳର ନେତାଙ୍କୁ ମଧ୍ୟ ଚକିତ କରିଛି । ଏପରିକି ବିଜେପିର ତୁଙ୍ଗ ନେତା, କେନ୍ଦ୍ରର ପ୍ରଭାବଶାଳୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅରୁଣ ଜେଟଲୀଙ୍କ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଥା ଜାଣି ନଥିବା ଚର୍ଚ୍ଚା ହେଉଛି ।

ନବୀନ ନିବାସରେ ଲଂଚ ପରେ ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ୨୦ ମିନିଟ ଧରି ଆଲୋଚନା ହୋଇଥିଲା । ନବୀନ ନିବାସରେ ଆତିଥ୍ୟ ଯୋଗୁଁ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ବିଳମ୍ବ କରିଥିଲେ ଅରୁଣ ଜେଟଲୀ । ତେବେ ଏପରି କରି ଦଳୀୟ ନେତାଙ୍କୁ କି ସଂଦେଶ ଦେବାକୁ ଜେଟଲୀ ଚାହୁଁଥିଲେ, ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ଏଭଳି ଆଚରଣ ଅନେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ।