ଯାଜପୁରରେ ଗଜା ମରୁଡି ଆଶଙ୍କା । ବର୍ଷା ଅଭାବରୁ ଫାଟି ଆଁ କରିଛି ତଳେ ଘେରା, ଉଠା ଜଳସେଚନ ପ୍ରକଳ୍ପ କାମ କରୁନଥିବାରୁ ଆଶା ଆଶଙ୍କାରେ ଚାଷୀ ।

173

କନକ ବ୍ୟୁରୋ : ଯାଜପୁର ଜିଲ୍ଲାରେ ଆବଶ୍ୟକତା ଠାରୁ ବହୁତ କମ ବର୍ଷା ହୋଇଥିବା ବେଳେ ଚାଷୀ ଭାବିଥିଲା ଉଠା ଜଳସେଚନ ପ୍ରକଳ୍ପରୁ ପାଣି ଆଣି ଧାନ ଚାଷ କରିବ । ହେଲେ ଉଠା ଜଳ ସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ଖରାପ ହୋଇ ପଡିଥିବାରୁ ଚିନ୍ତାରେ ଏବେ ଶହଶହ ଚାଷୀ । ହଜାର ହଜାର ଏକର ଚାଷ ଜମି ଫାଟି ଆଁ କରିଛି । ଚାଷୀ ବାଲଟିରେ ପାଣି ବୋହି ତଳି ଘେରା ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି ।

ଅନିଶ୍ଚିତତା ଘେରରେ ଧାନ ଚାଷ । ପାଣି ଅଭାବରୁ ହଜାର ହଜାର ହେକ୍ଟର ଚାଷ ଜମି ଫାଟି ଆଁ କରିଛି । ଯେଉଁ ଜମିରେ ପ୍ରତିବର୍ଷ ସୁନାର ଫସଲ ଫଳେ ସେଠାରେ ଏ ବର୍ଷ ଗଜା ମରୁଡିର ଆଶଙ୍କା ଦେଖାଦେଇଛି । ବିଲରେ ତଳି ପାଚି ନଷ୍ଟ ହେବାକୁ ବସିଥିବା ବେଳେ ବଞ୍ଚାଇ ରଖିବା ପାଇଁ ଚାଷୀ ସଂଘର୍ଷ କରୁଛି । ବିଲରେ ଜମି ରହିଥିବା ବର୍ଷା ପାଣିକୁ ଆଞ୍ଜୁଳାରେ ସଂଗ୍ରହ କରି ତଳି ବଂଚାଇବାକୁ ଉଦ୍ୟମ କରୁଛି । ଶୁଖିଲା କ୍ଷେତରେ ହଳ ନଚାଲିବାରୁ ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ପଂଚାୟତର ଚାଷୀ କୋଦାଳରେ ହାଣି କ୍ଷେତ ପ୍ରସ୍ତୁତି କରୁଛନ୍ତି ।

ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ପଂଚାୟତରେ ୫ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି, କିନ୍ତୁ ଗୋଟିଏ ବି ଚାଷ କାମରେ ଲାଗୁନି । କେଉଁଠି ବିଦ୍ୟୁତ୍ ସଂଯୋଗ ହୋଇନି ତ ଆଉ କେଉଁଠି ମଟର ଅକାମୀ । ୧୦ ବର୍ଷ ଧରି ଲକ୍ଷାଧିକ ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ଏଥିପ୍ରତି ବିଭାଗର ଦୃଷ୍ଟି ପଡୁନି । ଯାହାକୁ ନେଇ ଚାଷୀ ଏବେ ଚାଷ ଛାଡି ଅନ୍ୟ ରାସ୍ତା ବାଛିବାକୁ ଚେତାବନୀ ଦେଇଛନ୍ତି । ନାଥସାହି ପଂଚାୟତରେ କେନାଲ ଜଳସେଚନ ବ୍ୟବସ୍ଥା ନଥିବାରୁ ଶହଶହ ଚାଷୀ ଚାଷକୁ ନେଇ ଚିନ୍ତାରେ ପଡିଛନ୍ତି ।