ମାଲକାନଗିରି ସ୍ୱାଭିମାନ ଅଂଚଳକୁ ରାସ୍ତା ଅଡୁଆ । ବର୍ଷା ପୂର୍ବରୁ ରାସ୍ତା କାମ ଅଧାରେ ଛାଡି ଦେଇଛି ପୂର୍ତ୍ତ ବିଭାଗ ।

62

କନକ ବ୍ୟୁରୋ: କାଦୁଅ ରାସ୍ତାରେ ଅଟକି ଯାଇଛି ସ୍ୱାଭିମାନ ଅଂଚଳର ବିକାଶ ଗାଡି । ବର୍ଷା ପୁର୍ୱରୁ ସ୍ୱାଭିମାନ ଅଂଚଳର ଅଧିକାଂଶ ନିର୍ମାଣାଧିନ ରାସ୍ତା ଏବେ ଅଧା ପନ୍ତରିଆ ଅବସ୍ଥାରେ ଅଟକି ରହିଛି । ନାଁ ଆମ୍ବୁଲାନ୍ସ ପହଁଚି ପାରୁଛି ନା ପିଡିଏସ ସାମଗ୍ରୀ । ଗୁରୁପ୍ରୀୟା ସେତୁ ହେବା ପରେ ସ୍ୱଭିମାନ ଅଂଚଳର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ହୋଇଛି, କିନ୍ତୁ ଦୁର୍ଗମ ଅଂଚଳ କଥା ନ କହିବା ଭଲ । ବର୍ଷ ଦିନେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି ସ୍ୱାଭିମାନ ଅଂଚଳର ପ୍ରାୟ ୫୦ରୁ ଅଧିକ ଗାଁର ଲୋକେ ।

ଗୋଟିଏ ପଟେ କାଦୁଅ ପଚପଚ ରାସ୍ତା, ଅନ୍ୟପଟେ ଭରା ନଇ । ଏ ଚିତ୍ର ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର । ପୂର୍ତ ବିଭାଗ ପକ୍ଷରୁ ଡୋଳିଆମ୍ବ ଠାରୁ ମାଳିଗୁଡା ଗାଁକୁ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଏ ହେଉଛି ତାହାର ବାସ୍ତବ ଚିତ୍ର । ବର୍ଷା ପୂର୍ବରୁ ରାସ୍ତା କାମ ଅଧାରେ ଛାଡି ଦେଇଛି ପୂର୍ତ ବିଭାଗ । ସାରିଆଗୁଡା ନୂତନ କଲଭର୍ଟ ନିକଟରେ ଆପ୍ରୋଚରୋଡ ନିର୍ମାଣ ହୋଇନଥିବାରୁ ଗାଁକୁ ଏବେ ପାଦରେ ଚାଲିଚାଲି ଯିବା ବି କଷ୍ଟକର ହୋଇପଡୁଛି । ଯେଉଁଠିକୁ ପାଦରେ ଚାଲି ଚାଲି ଯିବା କଷ୍ଟକର ସେଠି ଆମ୍ବୁଲାନ୍ସ ଏବଂ ପିଡିଏସ ଗାଡି କେମିତି ପହଂଚୁଥିବ ଥରେ ଅନୁମାନ କରନ୍ତୁ । ଆଉ ଏହି ଦୃଶ୍ୟକୁ ଦେଖନ୍ତୁ, କାଦୁଅ ରାସ୍ତାରେ ଫସି ଯାଇଛି ଆରୋଗ୍ୟ ପ୍ଲସର ଡାକ୍ତରି ଦଳଙ୍କ ଗାଡି । ଧୁଳିପୁଟ ପଂଚାୟତକୁ ଯିବା ପାଇଁ ଦୁଇ ଦିନ ଧରି ଉଦ୍ୟମ କରୁଥିଲେ ହେଁ ଖରାପ ରାସ୍ତା ଯୋଗୁ ଆଗକୁ ବଢିପାରୁନି ମେଡିକାଲ ଗାଡି ।

ଗୁରୁପ୍ରୀୟା ସେତୁ ହେବା ପରେ ସ୍ୱାଭିମାନ ଅଂଚଳର ପ୍ରମୁଖ ରାସ୍ତା ଗୁଡିକରେ ଯାତାୟାତ ସ୍ୱାଭାବିକ ହେଉଛି । ସେତୁ ଯୋଜନାରେ ୧୫ଟି ମୁଖ୍ୟ ରାସ୍ତା ନିର୍ମାଣ ହୋଇଛି । ଏହାସହ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୩୧ଟି ପ୍ରକଳ୍ପରେ ୨୩୧ କିଲୋମିଟର ରାସ୍ତା ନିର୍ମାଣ କାମ ଜାରି ରହିଛି । କିନ୍ତୁ ମାଳିଗୁଡା ଘାଟରେ ପୋଲ ନିର୍ମାଣ କାମ ଧିମେଇ ଯାଇଥିବାରୁ ଧୁଳିପୁଟ ପଂଚାୟତର ୧୫ଟି ଗାଁ ଏବେ ବି ବିଛିନ୍ନ ହୋଇ ରହିଛି । ଧୁଳିପୁଟ ସମେତ ଯନ୍ତ୍ରୀ, ରାଲେଗଡା ପଂଚାୟତର ଅନେକ ଗାଁକୁ ଯାତାୟତ ହୋଇପାରୁନାହିଁ ।

ସ୍ୱାଭିମାନ ଅଂଚଳର ବିକାଶ ଲାଗି ଜୀବିକା ମିଶନ ଠାରୁ ଆରମ୍ଭ କରି ଅନେକ ପାନୀୟ ଜଳ, ଜଳସେଚନ, ନୁତନ ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ପରି ପ୍ରକଳ୍ପ ହାତକୁ ନିଆଯାଇଛି । ହେଲେ ରାସ୍ତା ଘାଟ ନଥିବାରୁ ସେଗୁଡିକ ଲୋକଙ୍କ ପାଖରେ ପହଁଚି ପାରୁନାହିଁ ।