୨୦୨୩ ଡିସେମ୍ବର ସୁଦ୍ଧା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର, ୬୭ ଏକର ଜମିରେ ନିର୍ମାଣ ଚାଲିଛି ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର

188

କନକ ବ୍ୟୁରୋ : ଅଯୋଧ୍ୟାରେ ନିର୍ମାଣ ହେଉଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ଭକ୍ତଙ୍କ ପାଇଁ ୨୦୨୩ ଡିସେମ୍ବର ମାସରୁ ଖୋଲିବ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୨୩ ଶେଷ ସୁଦ୍ଧା ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୁହାଯାଇଛି କି ଏହି ଅବଧି ମଧ୍ୟରେ ମନ୍ଦିର ନିର୍ମାଣ ଶେଷ ହୋଇ ନପାରିଲେ ବି ଗର୍ଭଗୃହ କାର୍ଯ୍ୟ ନିଶ୍ଚିନ୍ତ ଭାବେ ଶେଷ ହେବ । ମନ୍ଦିର ନିର୍ମାଣ ପୂର୍ବରୁ ଭକ୍ତଙ୍କୁ ଶ୍ରୀରାମଙ୍କ ଦର୍ଶନ କରାଇ ବିଜେପି ପୁରା ଶ୍ରେୟ ନେବାକୁ ଚାହିଁଛି । ସେପଟେ ୨୦୨୪ ରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଏଭଳି ପ୍ରୟାସ କରିଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।

ଅନୁମାନ କରାଯାଇଛି କି ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ପାଇଁ ନିର୍ମାଣ ହେଉଥିବା ୬୭ ଏକର ଜମି ଉପରେ ମନ୍ଦିର କାର୍ଯ୍ୟ ୨୦୨୫ ରେ ଶେଷ ହୋଇପାରେ । ଏହାସହିତ ଏଠାକୁ ପୂର୍ବରୁ ଯେତେ ଭକ୍ତ ଆସୁଥିଲେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଜାଗା ନଥିବାରୁ ଏବେ ୧୧୦ ଏକର ପରିମିତ ସ୍ଥାନରେ ମନ୍ଦିର କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି । ପୁରା ମନ୍ଦିର ନିର୍ମାଣ ପାଇଁ ୯୦୦-୧୦୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ମନ୍ଦିର ପରିସରରେ ମ୍ୟୁଜିୟମ, ଅଭିଲେଖାଗାର, ଓ ଏକ ଛୋଟ ରିସର୍ଚ୍ଚ ସେଣ୍ଟର ଖୋଲାଯିବ । ସେଥିରେ ପ୍ରଶାସନିକ ବ୍ଲକ, ଗେଷ୍ଟ ହାଉସ, ସାଧୁ ମାନଙ୍କ ପାଇଁ ରହିବା ସ୍ଥାନ ଓ ପ୍ରସାଦ ପ୍ରସ୍ତୁତ ଓ ବିତରଣ ଭଳି ବିଭାଗ ରହିବ । ଏହାସହ ସେଠାରେ ପ୍ରସ୍ତୁତ ହେବାକୁ ଥିବା ପାଠାଗାରରେ ବିଭିନ୍ନ ଦେଶରେ ରାମଙ୍କ ଉପରେ ହୋଇଥିବା ଅନୁସନ୍ଧାନର ତଥ୍ୟ ରହିବ । ଏହାସହ ରାମ ନବମୀ ଦିନ ସୂର୍ଯ୍ୟ କିରଣ କିଭଳି ରାମ ମନ୍ଦିରରେ ଶୋଭା ପାଉଥିବା ଶ୍ରୀରାମଙ୍କ ଉପରେ ପଡିବ ସେନେଇ ବି ଅଧ୍ୟୟନ ଜାରି ରହିଛି ।