ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମ୍ ଇଣ୍ଡିଆରୁ ଡାକରା । ଜାଣନ୍ତୁ କାହା ବଦଳରେ ଇଂଲଣ୍ଡ ଯିବେ ଯଶସ୍ୱୀ?

122

କନକ ବ୍ୟୁରୋ : ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଯଶସ୍ୱୀଙ୍କୁ ଟିମ୍ ଇଣ୍ଡିଆରୁ ଡାକରା ଆସିଛି । ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ପାଇଁ ଯଶସ୍ୱୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ବ୍ୟକ୍ତିଗତ କାରଣରୁ ଋତୁରାଜ ଗାଏକ୍ୱାଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଉପଲବ୍ଧ ହେବେ ନାହିଁ । ତେଣୁ ଏଭଳି ସ୍ଥିତିରେ ଦଳର କୋଚ୍ ଦ୍ରାବିଡଙ୍କ କହିବା ଅନୁଯାୟୀ, ଯଶସ୍ୱୀଙ୍କୁ ଚୟନକର୍ତ୍ତା ଇଂଲଣ୍ଡ ପଠାଇଛନ୍ତି ।

ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଶସ୍ୱୀ ଜୟସ୍ୱାଲଙ୍କୁ ଋତୁରାଜ ଗାଏକ୍ୱାଡଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ଷ୍ଟାଣ୍ଡବାଏ ଖେଳାଳୀ ଭାବେ ସାମିଲ କରାଯାଇଛି । ଋତୁରାଜ ଆସନ୍ତା ୩-୪ରେ ବିବାହ ବନ୍ଧନରେ ବାନ୍ଧି ହେବେ । ତେଣୁ ଯଶସ୍ୱୀଙ୍କୁ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଲାଲ ବଲରେ ଅଭ୍ୟାସ କରିବାକୁ କୁହାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଜୟସ୍ୱାଲ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଏହି ଯୁବ ବ୍ୟାଟର ଚଳିତ ଆଇପିଏଲରେ ୧୪ଟି ଇନିଂସରୁ ୬୨୫ ରନ୍ କରିଥିଲେ ।

ଏହାପୂର୍ବରୁ ଋତୁରାଜଙ୍କ ଓପନର ବ୍ୟାଟର ଭାବେ ଟିମରେ ଷ୍ଟାଣ୍ଡବାଏ ଖେଳାଳୀ ରୂପେ ସାମିଲ କରାଯାଇଥିଲା । ଜୁନ୍ ୫ ପରେ ସେ ଟିମ୍ ସହ ସାମିଲ ହୋଇପାରିବେ ବୋଲି ବୋର୍ଡକୁ ଜଣାଇଥିଲେ । କିନ୍ତୁ ଦ୍ରାବିଡଙ୍କୁ ତୁରନ୍ତ ତାଙ୍କ ବଦଳ ଖେଳାଳୀର ଆବଶ୍ୟକତା ରହିଥିଲା । ଯେଉଁଥିପାଇଁ ଯଶସ୍ୱୀଙ୍କୁ ତୁରନ୍ତ ଟିମରେ ସାମିଲ କରାଯାଇଥିଲା ।