ଚନ୍ଦନ କାଠ ଚାଲାଣ ପାଇଁ ମାଲକାନଗିରି ଜଙ୍ଗଲ ଆସିପାରନ୍ତି ଅଲ୍ଲୁ ଅର୍ଜୁନ ! ସିଲେରୁ ନଦୀ କୂଳରେ ଏବେଠୁ ଲାଗିଲାଣି ଦର୍ଶକଙ୍କ ଭିଡ ।

396

କନକ ବ୍ୟୁରୋ: ସୁଟିଂ ସେଟ୍ ପାଲଟିଛି ସେଲ୍ଫି ପଏଣ୍ଟ । ସିଲେରୁ ନଈ କୂଳରେ ସିନେ ପ୍ରେମୀ । ପୁଷ୍ପା-୨ ସୁଟିଂ ସେଟରେ ଫ୍ୟାନଙ୍କ ଭିଡ । ସୁଟିଂ ସରିଲା, ଭିଡ ଲାଗିଲା । ପୁଷ୍ପା-୨ ସୁଟିଂ ହେଉଥିବା ସ୍ଥାନ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଛି ସେଲ୍ଫି ପଏଣ୍ଟ । ଯେଉଁଠି ପ୍ରତିଦିନ କିଛି ନା କିଛି ଲୋକଙ୍କ ଭିଡ ଲାଗୁଛି । ଆନ୍ଧ୍ର-ଓଡିଶା ସୀମା କାଳିମେଳା ବ୍ଲକ ପୋଲୁର ଗାଁ ସିଲେରୁ ନଦୀ କୂଳରେ ବହୁ ଚର୍ଚ୍ଚିତ ସିନେମା ପୁଷ୍ପା-୨ର ପ୍ରଥମ ପର୍ଯ୍ୟାୟ ସୁଟିଂ ସରିବା ପରେ ଏବେ ଉକ୍ତ ସ୍ଥାନକୁ ବୁଲିବାକୁ ଆସୁଛନ୍ତି ଅନେକ ଲୋକ । ଆଉ ନଈ କୂଳରେ ପଡିଥିବା ନକଲି ଲାଲ ଚନ୍ଦନ କାଠ ସହ ଫଟୋ ଉଠାଉଛନ୍ତି । ପୁଷ୍ପାର ଚର୍ଚ୍ଚିତ ଡାଇଲଗ ଝୁକେଗା ନେହିଁ ଭଳି ପୋଜ୍ ଦେଉଛନ୍ତି ।

ତେବେ ସିଲେରୁ ନଈ କୂଳର ଏ ସ୍ଥାନରେ କୃତ୍ରିମ ଚନ୍ଦନ କାଠ, କଳା ମଚମଚ ନକଲି ମୁଗୁନି ପଥର ଏବଂ ଦଉଡି ପଡି ରହିଛି । ପ୍ରଥମ ପର୍ଯ୍ୟାୟ କିଛି ରାତି ସିନ୍ ସୁଟିଂ ହୋଇଥିବା ଅନୁମାନ କରାଯାଉଛି । ଯେଉଁଥି ପାଇଁ ଏ ମଶାଲ ପଡି ରହିଛି । ଆଉ ସେସବୁ ଦେଖି ବେଶ ଖୁସି ଅଛନ୍ତି ସିନେମାକୁ ଭଲ ପାଉଥିବା ଏ ଦର୍ଶକମାନେ ।

ବଡ ପରଦାରେ ନିଜ ଅଞ୍ଚଳର ସ୍ଥାନ ତ ସେମାନେ ଦେଖିବେ କିନ୍ତୁ ସିନେମା ଆସିବା ଆଗରୁ ସେଟରେ କେମିତି ଚାଲିଛି ପୁଷ୍ପା-୨ର ସୁଟିଂ ତାହା ଦେଖିବାକୁ ଅନେକ ଲୋକ ସିଲେରୁ ନଈ କୂଳକୁ ଆସିଥିଲେ ମଧ୍ୟ । ସେତେବେଳେ ସେମାନେ ନିରାଶ ହୋଇ ଫେରିଥିଲେ ।