ନିକିତାଙ୍କୁ ମାରିଛନ୍ତି ସ୍ୱାମୀ? ଅଭିଯୋଗ ଆଣିଲେ ନିକିତାଙ୍କ ବାପା, ଘଟଣା ଉପରୁ ପରଦା ହଟାଇବାକୁ ପୋଲିସ ଆରମ୍ଭ କଲା ତନାଘନା

459

କନକ ବ୍ୟୁରୋ : ଓଲିଉଡ୍ ତଥା ସିରିଏଲ ଅଭିନେତ୍ରୀ ଲଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ନିକିତାଙ୍କ ବାପା, ତାଙ୍କ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ନିକିତାଙ୍କ ସ୍ୱାମୀ ଲିପୁନ୍ ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା । ଏହାପରେ ୩ଟି ଟିମ୍ ଗଠନ କରି ପୋଲିସ ତଦନ୍ତ କରୁଛି । ଆଉ, ତଦନ୍ତ ଆରମ୍ଭ ହୋଇଛି ନିକିତାଙ୍କ ଘରୁ ।

ଯାହାକୁ ପ୍ରେମକରି ବିବାହ କରିଥିଲେ ସେ ହିଁ ନିକିତାଙ୍କୁ ସବୁଦିନ ପାଇଁ ଦୁନିଆରୁ ହଟାଇ ଦେଇଛି । ସ୍ୱାମୀ ଲିପୁନ ସାହୁଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ନିକିତାଙ୍କ ବାପା ସନାତନ ବେହେରା । ସେ ଥାନାରେ ଅଭିଯୋଗ କରିଛନ୍ତି, ଜ୍ୱାଇଁ ଲିପୁନ ୪ ତାରିଖ ରାତି ପ୍ରାୟ ସାଢ଼େ ୯ଟାରେ ତାଙ୍କ ଝିଅକୁ ଛାତ ଉପରକୁ ଡାକିନେଇଥିଲେ, ଏହାର କିଛି ସମୟ ପରେ ଘଟିଥିଲା ଅଘଟଣ । ଲିପୁନ୍ ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସନାତନ ।

ନିକିତାଙ୍କ ବାପାଙ୍କ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଛି କମିସନରେଟ୍ ପୋଲିସ । ଆଜି ଚାଉଳିଆଗଞ୍ଜ ପୋଲିସ ନିକିତାଙ୍କ ମହାନଦୀ ବିହାର ସ୍ଥିତ ଘରେ ପହଁଚି କରିଛି ଖୋଳତାଡ । ନିକିତା ପଡିଥିବା ଛାତ ଉପରୁ ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି । ସେପଟେ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ୩ଟି ଟିମ୍ । ସାଇଣ୍ଟିଫିକ୍ ଟିମ୍, ମେଡିକାଲ ଟିମ୍ ସହ ପୋଲିସର ଏକ ଟିମ ରହିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ନିକିତାଙ୍କର ମୃତ୍ୟୁ ଘଟିଲା ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଡିସିପି ।

ସ୍ୱାମୀ ଓ ଶାଶୁଙ୍କ ନାଁରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନିକିତାଙ୍କ ବାପା । ଅଭିଯୋଗ ଆଧାରରେ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ ଲିପୁନ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତା କଟକ ମହାନଦୀବିହାର ସ୍ଥିତ ତାଙ୍କ ବାପଘର ଛାତ ଉପରୁ ପଡି ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପାରିପାଶ୍ୱିର୍କ ସ୍ଥିତି ଓ ପରିବାର ଲୋକଙ୍କ ଅଭିଯୋଗ ପରେ ସଂଦେହ ଘେରକୁ ଚାଲିଯାଇଛି ନିକିତାଙ୍କ ମୃତ୍ୟୁ ।