ନିର୍ବାଚନ ବର୍ଷରେ ଶୀର୍ଷ ନେତାଙ୍କ ଭିତରେ ଲଢେଇ ! ଚାଷୀଙ୍କ ପାଇଁ ଦିଲ୍ଲୀରେ ଲଢିବେ ନବୀନ,  ଦିଲ୍ଲୀରୁ ଆସି ପଲ୍ଲୀରେ ପରିବର୍ତ୍ତନର ନାରା ଦେବେ ମୋଦି ଓ ରାହୁଲ 

131

କନକ ବ୍ୟୁରୋ : ଦିଲ୍ଲୀ ଫୋକସରେ ଓଡିଶା । ମୋଦିଙ୍କ ପରେ ଓଡିଶା ଆସୁଛନ୍ତି ରାହୁଲ । ଆସନ୍ତା ୨୫ ତାରିଖରେ ଉପକୂଳ ଓଡିଶାରେ ରାହୁଲଙ୍କ ସାଧାରଣ ସଭା କାର୍ଯ୍ୟକ୍ରମ ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବାଜିମାତ୍ କରିବା ପରେ ଓଡିଶା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଆସୁଛନ୍ତି ରାହୁଲ । ଏହି ଗସ୍ତ ସହ ଓଡିଶାରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଆରମ୍ଭ ହେବ ବୋଲି କୁହାଯାଉଛି । ସେପଟେ ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସୁଛନ୍ତି ମୋଦି । ଏହାପରେ ୧୮ ତାରିଖରେ ରହିଛି ଅମିତ ଶାହାଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ କେନ୍ଦ୍ରୀୟ ନେତୃତ୍ୱଙ୍କ ଫୋକସରେ ରହିଛି ଓଡିଶା ।

ମୋଦିଙ୍କ ମାରାଥନ୍ ଗସ୍ତକୁ କାଉଣ୍ଟର କରିବାକୁ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ରାହୁଲ ଉପକୂଳ ଓଡିଶାରେ ସାଧାରଣସଭା ଓ ରାଲି କରିବେ । ଭୁବନେଶ୍ୱର କିମ୍ବା ପାରାଦୀପରେ ଏହି ସାଧାରଣ ସଭା ଆୟୋଜିତ ହୋଇପାରେ । ତେବେ ଏଯାଏଁ ସ୍ଥାନ ଚିହ୍ନଟ ହୋଇନି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାର ଗଢିବା ପରେ ରାଜ୍ୟରେ କଂଗ୍ରେସ କର୍ମୀଙ୍କ ଉତ୍ସାହ ବଢାଇବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ।

ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଶିବିର ଉତ୍ସାହିତ ଥିବା ବେଳେ ରାହୁଲଙ୍କ ଆଭିମୁଖ୍ୟ ଉପରେ ରହିଛି ସମସ୍ତଙ୍କ ନଜର । ରାହୁଲ, ମୋଦିଙ୍କୁ ଟାର୍ଗେଟ୍ କରିବା ନିଶ୍ଚିତ । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କୁ ଘେରିବେ କି କଂଗ୍ରେସ ଅଧ୍ୟକ୍ଷ । ଏପଟେ ମାସକ ମଧ୍ୟରେ ଲଗାତର ତୃତୀୟ ଥର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୫ ତାରିଖରେ ମୋଦି, ବଲାଙ୍ଗୀରରେ ସାଧାରଣ ସଭା କରିବେ । ପୂର୍ବରୁ ଖୋର୍ଦ୍ଧା ଓ ବାରିପଦାରେ ସଭା କରିଥିଲେ ବି ମୋଦି, ବିଜେଡି ସରକାର କିମ୍ବା ନବୀନଙ୍କୁ ସିଧାସଳଖ ସମାଲୋଚନା କରିନଥିଲେ । ଏବେ ପଶ୍ଚିମ ଓଡିଶାରେ ମୋଦିଙ୍କ ସଭା ଉପରେ ରହିଛି ସମସ୍ତଙ୍କ ନଜର ।

ମୋଦିଙ୍କ ବଲାଙ୍ଗୀର ଗସ୍ତର ଦୁଇ ଦିନ ପରେ ଆସନ୍ତା ୧୮ ତାରିଖରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ଓଡିଶାରେ ମିଶନ ୧୨୦ ପ୍ଲସର କାର୍ଯ୍ୟକାରୀତା ନେଇ ସମୀକ୍ଷା କରିବା ସହ କଟକରେ ୫ଟି ସଭା କରି ଦଳୀୟ ନେତା ଓ ବୁଥ ସ୍ତରୀୟ କର୍ମୀଙ୍କୁ ମନ୍ତ୍ର ଦେବେ ଶାହା । ସାଧାରଣ ନିର୍ବାଚନ ପାଖଉଥିବା ବେଳେ ବଢୁଛି ରାଜ୍ୟ ରାଜନୀତିର ପାରଦ । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ କେନ୍ଦ୍ରରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଥିବାରୁ ଏବେ କଂଗ୍ରେସ ଓ ବିଜେପି ଫୋକସରେ ଓଡିଶା ରହିଛି ।