ଏକା ନୁହେଁ ହିନ୍ଦୁସ୍ତାନ! ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ଛିଡା ହେଲେ ବିଶ୍ୱର ଅଧିକାଂଶ ଦେଶ

655

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ହମଲାକୁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଦୃଢ ବିରୋଧ କରାଯଯାଇଛି । ଇସ୍ରାଏଲ ଭାରତର ସମର୍ଥନରେ ବାହାରିଥିବା ବେଳେ ପାକିସ୍ତାନ କହିଛି ଏହି ହମଲାରେ ଆମର ସମ୍ପୃକ୍ତି ନାହିଁ । ସେପଟେ ଚୀନ ମଧ୍ୟ ଖେଳ ଖେଳିଛି । ବାଂଲାଦେଶ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସମସ୍ତ ଦେଶ ସହିଦ ହୋଇଥିବା ୪୦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଭାରତବାସୀ ଏବଂ ଭାରତ ସରକାରଙ୍କ ସହିତ ଆମେ ଅଛୁ ବୋଲି କହିଛନ୍ତି ।

କେଉଁ ଦେଶ କଣ କହିଛନ୍ତି :
ଆମେରିକା
ଆମେରିକା ପାକିସ୍ତାନ ଉପରେ ପୁଣି ଅଙ୍ଗୁଳି ଉଠାଇ ଚେତାବନୀ ଦେଇଛି । ହ୍ୱାଇଟ ହାଉସ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି , ଯେ ପାକିସ୍ତାନ ତୁରନ୍ତ ଆତଙ୍କବାଦୀ ସଂଗଠନ ଗୁଡିକୁ ସମର୍ଥନ ଦେବା ବନ୍ଦ କରୁ ଏବଂ ନିଜ ଦେଶର ମାଟିରେ ଆତଙ୍କବାଦୀଙ୍କୁ ବଢିବା ପାଇଁ ସୁଯୋଗ ନଦେଉ । ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ ସାରା ସେଂଡରସ ଗୁରୁବାର ରାତିରେ ଏକ ବିବୃତି ଜାରି କରି ଏହି ମନ୍ତବ୍ୟ ଦେଇଛନ୍ତି ।
ଚାଇନା :
ସେପଟେ ପାକିସ୍ତାନକୁ ଲୁକାୟିତ ଭାବେ ସମର୍ଥନ ଦେଇଆସୁଥିବା ଚାଇନା ଏଥର ବି ଅନୁରୁପ ଖେଳ ଖେଳିଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜେଙ୍ଗ ସୁଆଙ୍ଗ କହିଛନ୍ତି ପୁଲୱାମାରେ ଘଟିଥିବା ଘଟଣା ସ୍ତବ୍ଧ କରିଦେବାଭଳି ଏକ ଘଟଣା । ଏବଂ ସବୁପ୍ରକାର ଆତଙ୍କବାଦକୁ ଚାଇନା ନିନ୍ଦା କରେ ବୋଲି ସେ କହିଛନ୍ତି । କିନ୍ତୁ ଜୈସ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ମିଳିତ ଜାତିସଂଘର ଘୋଷିତ ଆତଙ୍କବାଦୀ ଆଖ୍ୟା ଦେବାକୁ ଏବେ ବି ଚାଇନା ଚାହେଁନାହିଁ ବୋଲି ସେ ଇସାରା ଦେଇଛନ୍ତି ।
ଇସ୍ରାଇଲ:
ଆତଙ୍କବାଦୀ ଆକ୍ରମଣ ଘଟଣାରେ ଇସ୍ରାଏଲ ଭାରତର ପୂର୍ଣ୍ଣ ସମର୍ଥନରେ ବାହାରିଛି । ଭାରତକୁ ଇସ୍ରାଇଲର ଆମ୍ବାସଡର ରୋନ ମାଲକା କହିଛନ୍ତି ଏଭଳି କଠିନ ମୁହୁର୍ତରେ ଭାରତ ସହିତ ଇସ୍ରାଇଲ ରହିଛି । ଏଭଳି ଆତଙ୍କବାଦୀ ଆକ୍ରମଣକୁ ଇସ୍ରାଇଲ କଡା ନିନ୍ଦା କରୁଛି । ସିଆରପିଏଫ ଯବାନଙ୍କ ପରିବାରକୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛି ଇସ୍ରାଇଲ ।
ବାଂଲାଦେଶ:
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଲୱାମା ଆତଙ୍କବାଦୀ ହମଲା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧ ଲଢେଇ କରିବା ପାଇଁ ଢାକା ଜିରୋ ଟଲୋରାନ୍ସ ପଲିସି ଆପଣାଉଥିବା କହିଛନ୍ତି । ଆତଙ୍କବାଦର ମୁକାବିଲା ପାଇଁ ଦୃଢ ସଂକଳ୍ପବଦ୍ଧ ବୋଲି କହିଛି ବାଂଲାଦେଶ ।
ଋଷିଆ:
ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏପରି ଆକ୍ରମଣକୁ ନିନ୍ଦା କରିବା ସହିତ ଯେଉଁମାନେ ଏହି କାଣ୍ଡ ଘଟାଇଛନ୍ତି ଏବଂ ଆତଙ୍କବାଦୀ ଆକ୍ରମଣକୁ ପ୍ରାୟୋଜିତ କରିଥିବା ବ୍ୟକ୍ତି କିମ୍ବା ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି ପୁଟିନ ।

ପାକିସ୍ତାନ :
ପୁଲୱାମା ଆକ୍ରମଣ ପରେ ସବୁ ଅଙ୍ଗୁଳି ପାକିସ୍ତାନ ଉପରକୁ ଉଠୁଥିବା ବେଳେ ସବୁଥର ପରି ଏଥର ବି ପାକିସ୍ତାନ ମିଛ ବାହାନା ଦେଖାଇ ଖସିଯିବାକୁ ଚେଷ୍ଟା କରିଛି । ପାକିସ୍ତାନ କହିଛି କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗଭୀର ଚିନ୍ତାର ବିଷୟ । କିନ୍ତୁ ପାକିସ୍ତାନର ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଏକ ଷ୍ଟେଟମେଂଟ ଇସ୍ୟୁ କରିଛି ।

ଏହାଛଡା ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ ଭଳି ଦେଶ ମଧ୍ୟ ସହିଦ ପରିବାରକୁ ସମବେଦନା ଜଣାଇବା ସହିତ ଆହତ ଯବାନମାନେ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି । ତେବେ ଆତଙ୍କବାଦର ଏ ଲଢେଇରେ ଭାରତ ସହିତ ବିଶ୍ୱର ପ୍ରମୁଖ ଦେଶଗୁଡିକର ସମର୍ଥନ ରହିଛି ବୋଲି ସଙ୍କେତ ଆସିଛି ।