ମାତ୍ର ୨୨ ବର୍ଷ ବୟସରେ ସରପଞ୍ଚ ! ଜାଣନ୍ତୁ ଭାରତର ସବୁଠାରୁ କମ ବୟସ୍କ ମହିଳା ସରପଞ୍ଚଙ୍କ ସଂଘର୍ଷମୟ କାହାଣୀ

133

ମହିଳା ସଶକ୍ତୀକରଣକୁ ଏବେ ଦେଶରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ମହିଳା ମାନେ ମଧ୍ୟ ଘରର ଏରୁଣ୍ଡି ବନ୍ଧ ଡେଇଁ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେଣି । ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନେ ନିଜକୁ ପ୍ରମାଣିତ କରୁଛନ୍ତି । ଏଭଳି ଜଣେ ମହିଳା ହେଲେ ଜବନା ଚୌହାନ । ମାତ୍ର ୨୨ ବର୍ଷ ବୟସରେ ସଂରପଞ୍ଚ ହୋଇ ଦେଶର ସବୁଠାରୁ କମବୟସ୍କ ମହିଳା ସରପଞ୍ଚ ହେବାର ରେକର୍ଡ କରିଛନ୍ତି ।

mndp5-5-1024x576
image courtesy-http://static.hillpost.in

ହିମାଚଳ ପ୍ରଦେଶର ୨୩ ବର୍ଷିୟା ଯୁବତୀ ଜବନା ଚୌହାନ । ପ୍ରଚଣ୍ଡ ଆତ୍ମବିଶ୍ୱାସ ତାଙ୍କୁ ଆଜି ସଫଳତାର ସ୍ୱାଦ ଚଖାଇଛି । ୨୦୧୬ ମସିହାରେ ମାତ୍ର ୨୨ ବର୍ଷ ବୟସରେ ମଣ୍ଡି ଜିଲ୍ଲା ଥରଜୁଣ ଗ୍ରାମର ସଂରପଞ୍ଚ ଭାବେ ନିର୍ବାଚିତ ହୋଇ ସମସ୍ତଙ୍କୁ ଆଶ୍ଚଯ୍ୟ କରି ଦେଇଥିଲେ । ଏପରିକି ଏହି ନିର୍ବାଚନ ଜିତି ନିଜ ନାମରେ ଏକ ନିଆରା ରେକର୍ଡ କରିଥିଲେ ଜବନା । ୨୨ ବର୍ଷରେ ନିର୍ବାଚନ ଜିତି ଦେଶର ସବୁଠାରୁ କମବୟସ୍କ ମହିଳା ସରପଞ୍ଚ ଭାବେ ରେକର୍ଡ କରିଛନ୍ତି ଜବନା । ତେବେ ଜବନାଙ୍କ ଏହି ସଫଳତମ ଯାତ୍ରା ଏତେ ସହଜ ନଥିଲା । ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେ ।

ସଂଘର୍ଷରୁ ଆରମ୍ଭ ହୋଇଥିଲା ଜବନାଙ୍କ ଜୀବନ । ଆଉ ସେ ସଂଘର୍ଷ ସହ ଲଢି ଆଜି ସଫଳତା ହାସଲ କରିଛନ୍ତି ଜବନା । ଏକ ପରିବାରରେ ଜବନା ଜନ୍ମ ହୋଇଥିଲେ । ବାପା ଚାଷୀ ଓ ଭାଇ ଜନ୍ମରୁ ନେତ୍ରହୀନ । ଘରର ଆର୍ଥିକ ସ୍ଥିତି ମଧ୍ୟ ସ୍ୱଚ୍ଛଳ ନଥିଲା । ଏପରିକି ତାଙ୍କୁ ବାହାରେ ରଖି ପାଠ ପଢାଇବା ପାଇଁ ମଧ୍ୟ ତାଙ୍କ ପରିବାର ପକ୍ଷେ ସମ୍ଭବପର ନଥିଲା । ତା ସାଙ୍ଗକୁ ଝିଅମାନେ ବାହାରେ ରହି ପାଠ ପଢିପାରିବେନି ବୋଲି ଗାଁର ନିୟମ ଥିଲା । କିନ୍ତୁ ଏସବୁ ବାଧା ଓ ପ୍ରତିବନ୍ଧକ ଜବନାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରିନଥିଲା । କିଛି ନୂଆ କରିବାର ଇଚ୍ଛା ଓ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆଗକୁ ପାଦ ବଢାଇଥିଲେ ଜବନା । ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ମଣ୍ଡି ଠାରେ ଥିବା ଡିଗ୍ରୀ କଲେଜରେ ଆଡମିଶନ କରି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଥମ ପାହାଚ ଚଢିଥିଲେ ସେ ।

IMG-20170830-WA0044-500x304ତେବେ କଲେଜ ଘର ଠାରୁ ବହୁତ ଦୂରରେ ଥିବାରୁ ପ୍ରତିଦିନ ୧୮ କିଲୋମିଟର ଚାଲିଚାଲି ଓ ବାକି ୨ କିଲୋମିଟର ବସରେ ଜବନାଙ୍କୁ ଯିବାକୁ ପଡୁଥିଲା । ଏତେ ଅସୁବିଧା ସତ୍ତେ୍ୱ ମଧ୍ୟ ପାଠ ପଢିବା ବନ୍ଦ କରିନଥିଲେ । ଡିଗ୍ରୀ ଶିକ୍ଷା ସମାପ୍ତ କରିବା ପରେ ଏକ ନ୍ୟୁଜପେପର ଅଫିସରେ ଟାଇଫିଙ୍ଗ ଶିଖିବା ସହ ପାର୍ଟ ଟାଇମ ଚାକରି ଆରମ୍ଭ କରିଥିଲେ । ପରେ ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ କିଛିଦିନ ଚାକିରି କରିବା ପରେ ଗାଁକୁ ଫେରିଥିଲେ ଜବନା । ନିଶା ଓ ଶିକ୍ଷାକୁ ନେଇ ଗାଁରେ ଯେଉଁ ସମସ୍ୟା ରହିଥିଲା ତାକୁ ଦୂର କରିବା ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଜବନା । ପଞ୍ଚାୟତ ନିର୍ବାଚନରେ ଲଢିବାକୁ ନିଷ୍ପତି ନେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଏହି ନିଷ୍ପତି ପାଇଁ ଅନେକ ଲୋକ ତାଙ୍କୁ ଟାହି ଟାପରା ମଧ୍ୟ କଲେ ।

yourstory-jabna-chauhan-newsକିନ୍ତୁ ଏହାପରେ ମଧ୍ୟ ସେ ନିଜ ଦୃଢ ଆତ୍ମବିଶ୍ୱାସ ହରାଇନଥିଲେ । ପଞ୍ଚାୟତ ନିର୍ବାଚନରେ ଲଢି ସବୁଠାରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଯେଉ ଗ୍ରାମରେ ଅଧିକ ଭୋଟ ହାତେଇବା ପାଇଁ ଅନ୍ୟ ପ୍ରାଥୀଙ୍କୁ ମଦ, ମାଂସ ଓ ଟଙ୍କା ଦେବାକୁ ପଡୁଥିଲା ସେଠାରେ ଜବନା ଲୋକଙ୍କୁ ସଚେତନ କରି ଅଧିକ ଭୋଟ ହାତେଇ ପାରିଥିଲେ । ବାସ ଏଇଠୁ ଆରମ୍ଭ ହୋଇଥିଲା ଜବନାଙ୍କ ସଫଳତାର କାହାଣୀ ।

ନିଜ ଗାଁରେ ମହିଳାଙ୍କ ପାଇଁ କଲେଜ କରିବା, ଗାଁ ପରିବେଶକୁ ସଫା ରଖିବା, ସବୁଲୋକ ବିଦ୍ୟୁତ, ପାଣି ଓ ଖାଦ୍ୟ ଭଳି ମୌଳିକ ସୁବିଧା ଯେପରି ପାଇ ପାରିବେ ସେନେଇ ପ୍ରୟାସ ଆରମ୍ଭ କରିଛନ୍ତି ଜବନା । ଏହାଛଡା ଗାଁ ଲୋକଙ୍କୁ ନିଶା ଠାରୁ ଦୁରରେ ରଖିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଏଥିପାଇଁ ପ୍ରଶାସନ ତରଫରୁ ମଧ୍ୟ ଜବନାଙ୍କୁ ସମର୍ଥନ ମିଳୁଛି । ଅତି ଛୋଟ ବୟସରେ ଜବନାଙ୍କ ଏଭଳି କାଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।