ତୃତୀୟ ଟେଷ୍ଟରେ ଦମଦାର ବିଜୟ ପରେ, ପୁଣି ସମ୍ଭାଳିବେ ମଙ୍ଗ । ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରନ୍ତି ଷ୍ଟିଭ୍ ସ୍ମିଥ୍ ।

114

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଭିତରେ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ । ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ଏହି ସିରିଜରେ ୨-୧ରେ ଆଗୁଆ ଥିଲେ ବି, ଶେଷ ଟେଷ୍ଟ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେଇପଡିଛି । କଙ୍ଗାରୁ ଦଳ ଏହି ଟେଷ୍ଟ ଜିତି ସିରିଜ୍ ବରାବର କରିବାକୁ ଲକ୍ଷ୍ୟ ରଖିଥିବାବେଳେ, ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଅପରାଜୟ ରହିି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି । ହେଲେ ଏହାରି ଭିତରେ ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରନ୍ତି ଷ୍ଟିଭ୍ ସ୍ମିଥ୍ ।

ରିପୋର୍ଟ ମୁତାବକ, ସିରିଜର ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମର କ୍ୟାପଟେନ୍ ରହିବେ ଷ୍ଟିଭ୍ ସ୍ମିଥ୍ । ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ନେବେ । ପ୍ୟାଟ କମିନ୍ସଙ୍କ ମାଆଙ୍କ ଦେହ ଅଧିକ ଖରାପ ହୋଇଥିବା କାରଣରୁ ସେ ଏବେ ଭାରତ ଆସିପାରିବେ ନାହିଁ । ତେଣୁ ତାଙ୍କ ଜାଗାରେ ଷ୍ଟିଭ୍ ସ୍ମିଥ୍ ଦଳର ମଙ୍ଗ ସମ୍ଭାଳିବେ ।

ତେବେ ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱରେ ଦଳ ତୃତୀୟ ଟେଷ୍ଟ ଜିତିଥିବାରୁ, ଚତୁର୍ଥ ଟେଷ୍ଟରେ ଦଳର ମନୋବଳ ନିଶ୍ଚୟ ଉର୍ଦ୍ଧ୍ୱରେ ରହିବ । ଏମିତିକି ଷ୍ଟିଭ୍ ସ୍ମିଥଙ୍କ ଭାରତ ବିପକ୍ଷରେ ରେକର୍ଡ ମଧ୍ୟ ଭଲ ରହିଛି । ସେ ଭାରତ ବିପକ୍ଷରେ ମୋଟ ୫ଟି ଟେଷ୍ଟରେ ଅଧିନାୟକ ରହିସାରିଛନ୍ତି । ଯେଉଁଥିରୁ ଦଳ ୨ଟିରେ ଜିତିଥିବାବେଳେ, ୨ଟିରେ ପରାଜୟ ଭୋଗିଛି । ତେବେ ଗୋଟିଏ ମ୍ୟାଚ୍ ଡ୍ର ରହିଛି । ତେଣୁ ଅହମ୍ମଦାବାଦ ଟେଷ୍ଟରେ ଦଳ ତାଙ୍କ ନେତୃତ୍ୱରେ ଆଉ ଏକ ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି ।