ଧାମନଗର ଉପ ନିର୍ବାଚନରେ କିଏ କାଟିଥିଲା ରାଜୁଙ୍କ ବିଜେଡି ଟିକେଟ୍? ବଡ ଗୁମର ଖୋଲିଲେ ରାଜୁ ଦାସ ।

416

କନକ ବ୍ୟୁରୋ: ଧାମନଗର ଉପ-ନିର୍ବାଚନ ବେଳେ କିଏ କାଟିଥିଲା ରାଜୁ ଦାସଙ୍କ ଟିକେଟ୍? କାହିଁକି ରାଜୁଙ୍କୁ ମିଳିଲାନି ବିଜେଡି ଟିକେଟ୍, ସେ ନେଇ ବଡ ଖୁଲାସା କରିଛନ୍ତି ନିଜେ ରାଜୁ ଦାସ । ରବିବାର କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ସେ ରାଜନୀତିର ଏହି ଗୁମର କଥାକୁ ସାମ୍ନାକୁ ଆଣିଛନ୍ତି ।

ତାଙ୍କ କହିବା ମୁତାବକ, କିଛି ଜିଲ୍ଲା ନେତା ତଥା ବିଧାୟକ ଜାଣିଶୁଣି ତାଙ୍କ ଟିକେଟ୍ କାଟିଛନ୍ତି । ଉକ୍ତ ନେତାମାନଙ୍କର ପତିଆରା କ୍ଷୁର୍ଣ୍ଣ ହେଇଯିବା ଭୟରେ ସେ ଏମିତି କରିଛନ୍ତି ବୋଲି ରାଜୁ ଦାସ କହିଛନ୍ତି । ସେହିପରି କାଳେ ସେ ନିର୍ବାଚନ ଜିତିଲେ, କାଳେ ତାଙ୍କର ପତିଆରା ବଢିଯିବ ସେ ନେଇ ଚିନ୍ତା କରି ଜିଲ୍ଲା ନେତାମାନେ ତାଙ୍କ ଟିକେଟ୍ କାଟିଥିବା କଥା କନକ ନ୍ୟୁଜକୁ କହିଛନ୍ତି ରାଜୁ ଦାସ ।

ତେବେ ରାଜୁ ଦାସଙ୍କ ଟିକେଟ୍ କଟିବା ପଛରେ ବର୍ତ୍ତମାନ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ନେତାଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଛନ୍ତି ରାଜୁ ଦାସ । ସେହି ନେତାଙ୍କ କାରଣରୁ ତାଙ୍କ ଟିକେଟ୍ କଟିଥିଲା? ତାଙ୍କରି କାରଣରୁ ସେ ବିଜେଡି ଟିକେଟ୍ ପାଇପାରିନଥିଲେ ବି ସେ କହିଛନ୍ତି ।

ଅନ୍ୟପଟେ ବିଜେଡିକୁ ପୁଣି ଫେରିବେ କି ରାଜୁ ଦାସ? ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । କନକ ନ୍ୟୁଜକୁ ସାକ୍ଷାତକାର ଦେଇ ରାଜୁ ଦାସ କହିଛନ୍ତି, ବିଜେଡିରେ ମିଶିବା ପାଇଁ ତାଙ୍କୁ ଅଫର୍ ମିଳିଛି । ରାଜ୍ୟ ସ୍ତରର ବଡ ନେତା ତାଙ୍କ ସହ ଏନେଇ ଯୋଗାଯୋଗ କରିଛନ୍ତି । ହେଲେ ଧାମନଗରବାସୀ ସହ ଆଲୋଚନା ପରେ ସେମାନେ ଯେଉଁ ଦଳ କହିବେ, ସେ ସେହି ଦଳରେ ଯୋଗ ଦେବେ ବୋଲି କହିଛନ୍ତି ରାଜୁ ଦାସ । ତେବେ ରାଜୁ ଦାସଙ୍କ ଏହି ବୟାନ ସେ ବିଜେଡିରେ ସାମିଲ ହେବା ନେଇ ଇସାରା ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ରାଜୁ ଦାସ ହେଉଛନ୍ତି ସେହି ନେତା, ଯିଏ ଧାମନଗର ଉପ-ନିର୍ବାଚନ ବେଳେ ବିଜେଡି ପାଇଁ ବିଦ୍ରୋହୀ ସାଜିଥିଲେ । ଅବନ୍ତୀ ଦାସଙ୍କୁ ବିଜେଡି ଧାମନଗର ଉପ-ନିର୍ବାଚନ ଟିକେଟ୍ ଦେବା ପରେ, ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେଇ ନିର୍ବାଚନ ଲଢିଥିଲେ । ତେବେ ଦଳ ବିରୋଧରେ ଯାଇ ସେତେବେଳେ ନିର୍ବାଚନ ଲଢିଥିବାରୁ ଦଳ ତାଙ୍କୁ ବହିଷ୍କାର ବି କରିଥିଲା । ହେଲେ ନିର୍ବାଚନ ରେଜଲ୍ଟରେ କିନ୍ତୁ ରାଜୁ ଦାସଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା । ରାଜୁ ଦାସଙ୍କୁ ଉପ-ନିର୍ବାଚନରେ ୮ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଆଉ ଏହି ଉପ-ନିର୍ବାଚନରେ ବିଜେଡିକୁ ହରାଇ ଧାମନଗର ବାଜି ଜିତିଥିଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପାଖାପାଖି ୧୦ ହଜାର ଭୋଟରେ ହରାଇଥିଲେ ।