ଗ୍ରାମାଞ୍ଚଳରେ ବେକାରି ବଢ଼ିଲା : ଅଗଷ୍ଟରେ କାମଧନ୍ଦା ହରାଇଲେ ଦେଶରେ ୩୭ ଲକ୍ଷ ଲୋକ; ମନରେଗା, କୃଷି କ୍ଷେତ୍ରରେ ବି କାମ କମିଲା
କନକ ବ୍ୟୁରୋ: ଅଗଷ୍ଟରେ ଦେଶରେ ବେକାର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାର ଦୁଇଟି ପ୍ରମୁଖ କାରଣ ରହିିଛି। ପ୍ରଥମଟି ହେଉଛି ମୌସୁମୀ ବର୍ଷା ଲାଗି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ମିଳୁଥିବା କାମ ହ୍ରାସ ପାଇଛି। ଦ୍ବିତୀୟ କାରଣଟି ହେଉଛି କୃଷି ଶ୍ରମିକଙ୍କ ଚାହିଦା ମଧ୍ୟ କମିଛି। କ୍ଷେତରେ ବୁଣାବୁଣି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଅଧିକ ଶ୍ରମିକ ଦରକାର ପଡ଼ୁନାହିଁ। କରୋନା ମହାମାରୀ ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଘୋଷାଣା କରାଯିବା ପରେ ସହରାଞ୍ଚଳରେ ଥିବା ଶ୍ରମିକମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏପ୍ରିଲ୍ରୁ ଗ୍ରାମାଞ୍ଚଳରେ ଅଧିକ ଶ୍ରମିକ ଉପଲବ୍ଧ ହୋଇଥିଲେ। ସେହି ସମୟରେ ଚାଷ କାର୍ଯ୍ୟ ଜାରି ରହିଥିବାରୁ ଅଧିକାଂଶ ପ୍ରବାସୀ ଶ୍ରମିକ ସେଥିରେ ନିୟୋଜିତ ହୋଇ ଉପାର୍ଜନକ୍ଷମ ହୋଇପାରିଥିଲେ। ମନରେଗାରେ ମଧ୍ୟ ସରକାର କାମ ବଢ଼ାଇ ଦେଇଥିବାରୁ, ସେଥିରେ ମଧ୍ୟ ଆଉ କିଛି ଲୋକ ନିୟୋଜିତ ହୋଇପାରିଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ଅନୁଯାୟୀ, ଗ୍ରାମାଞ୍ଚଳରେ ୩୭ ଲକ୍ଷ ଲୋକ ଜୀବିକା ହରାଇଛନ୍ତି। କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୭ ଲକ୍ଷ ଲୋକ ବେକାର ହୋଇଥିବା ବେଳେ ଅଣ କୃଷି କ୍ଷେତ୍ରରେ ନିୟୋଜିତ ହୋଇଥିବା ୩୦ ଲକ୍ଷ ଲୋକଙ୍କୁ କାମଧନ୍ଦା ମିଳିବା ବନ୍ଦ ହୋଇଯାଇଛି। ସିଏମ୍ଆଇଇ ମତରେ, ଅଗଷ୍ଟରେ ଗ୍ରାମାଞ୍ଚଳ ବେକାରି ହାର ୮.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଏପ୍ରିଲ୍ ଓ ମେ’ରେ ଏହି ହାର ୨୩.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଗତ ଜୁଲାଇରେ ସେଥିରେ ଦ୍ରୁତ ସୁଧାର ଘଟିଥିଲା ଓ ବେକାରି ହାର ୭.୪ ପ୍ରତିଶତ ଭଳି ସ୍ତରରେ ପହଞ୍ଚିଥିଲା। ଅଗଷ୍ଟରେ କାମଧନ୍ଦା ଠିକ୍ ଭାବେ ନମିଳିବାରୁ ପୁଣି ବେକାରି ସମସ୍ୟା ବୃଦ୍ଧି ପାଇଛି।
ଗତ ଜୁଲାଇରେ ଶ୍ରମ ବଜାରରେ ୪୨.୪ କୋଟି ଲୋକ ଥିଲେ। ଅଗଷ୍ଟ ସୁଦ୍ଧା ସେମାନଙ୍କ ସଂଖ୍ୟା ୪୨.୮ କୋଟିକୁ ବୃଦ୍ଧି ପାଇଥିଲା। କାମଧନ୍ଦା ଦରକାର କରୁଥିବା ଲୋକମାନଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ରୋଜଗାରର କୌଣସି ପନ୍ଥା ସୃଷ୍ଟି ହେଉନଥିବାରୁ ବେକାରି ଲୋକଙ୍କ ସଂଖ୍ୟା ସେହି ଅନୁସାରେ ବୃଦ୍ଧି ପାଇଛି। ଗତ ଜୁଲାଇରେ ୩.୨ କୋଟି ଲୋକ ବେକାର ଥିଲେ। ଅଗଷ୍ଟରେ ସେମାନଙ୍କ ସଂଖ୍ୟା ୩.୬ କୋଟିକୁ ବୃଦ୍ଧି ପାଇଛି। ଜୁଲାଇ ତୁଳନାରେ ଅଗଷ୍ଟରେ ୨ ଲକ୍ଷ କମ୍ ନିଯୁକ୍ତି ସୃଷ୍ଟି ହୋଇଛି। ଅଗଷ୍ଟରେ ମାତ୍ର ୧.୦୭ କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି ସିଏମ୍ଆଇଇ ପକ୍ଷରୁ ସୂଚନା ଦିଆଯାଇଛି।