କରୋନା ଲଢ଼େଇରେ ଗଞ୍ଜାମର ୧୩ ଶିକ୍ଷକ ଯୋଦ୍ଧା : ମଣିଷ ଗଢୁଥିଲେ, ମଣିଷ ବଞ୍ଚାଇବା ଲାଗି ଜୀବନ ଦେଲେ

205

କନକ ବ୍ୟୁରୋ : ରାତି ପାହିଲେ ମଣିଷ ତିଆରି କରାଖାନାରେ ମଣିଷ ଗଢୁଥିବା ଶିକ୍ଷକ ଶେଷରେ ସେହି ମଣିଷକୁ ବଞ୍ଚାଇବା ଲାଗି ମହାମାରୀ କରୋନା ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି। ଶିକ୍ଷକ ଯେ କେବଳ ପାଠ ପଢାନ୍ତି ତାହା ନୁହେଁ, ସେ ବି ସଙ୍କଟ ସମୟରେ ଓ ଯୁଦ୍ଧ ବେଳେ ଆଗ ଧାଡ଼ିରେ ରହନ୍ତି, ତାହା କରୋନା ଭଳି ମହାବିପତ୍ତି ସମୟରେ ପ୍ରମାଣିତ କରିଛନ୍ତି। କରୋନା ଲଢ଼େଇରେ ଅନ୍ୟ ସୈନିକଙ୍କ ଭଳି ଆଗ ଧାଡ଼ିରେ ରହି ମଣିଷକୁ ବଞ୍ଚାଇବା ଲାଗି ଅକ୍ଲାନ୍ତ ପରିଶ୍ରମ କରି ଗଞ୍ଜାମ ଜିଲ୍ଲାର ୧୩ ଶିକ୍ଷକ ଶିକ୍ଷୟିତ୍ରୀ ଜୀବନ ହାରିଛନ୍ତି।

ନୂତନ ଶିକ୍ଷାବର୍ଷ ଆରମ୍ଭ ନ ହେଉଣୁ ଅର୍ଥାତ ମାର୍ଚ୍ଚ ମାସ ପ୍ରଥମାର୍ଦ୍ଧରୁ କରୋନା ମହାମାରୀ ପ୍ରାଦୁର୍ଭାବ ଆରମ୍ଭ ହୋଇ ଯାଇଥିଲା। ଦେଶ ଲକ୍‌ଡାଉନ୍‌ ହେବା ସାଙ୍ଗକୁ ଶିକ୍ଷକ ଗଢୁଥିବା କାରାଖାନାରେ ତାଲା ଝୁଲିଥିଲା। ପ୍ରବାସୀଙ୍କ ଆଗମନ କ୍ଷଣି ଗ୍ରିନ୍‌ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲା ହଟ୍‌ସ୍ପଟ୍‌ ପାଲାଟି ଯାଇଥିଲା। ତାଲା ଝୁଲୁଥିବା ଶିକ୍ଷକ ତିଆରି କରାଖାନା ମଣିଷକୁ ବଞ୍ଚାଇବା ଲାଗି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲା। ଶିକ୍ଷକମାନଙ୍କୁ ଶେଷରେ କରୋନା ଲଢ଼େଇରେ ସାମିଲ୍‌ ହେବାକୁ ପଡ଼ିଥିଲା।

ଶିକ୍ଷକ ଶିକ୍ଷୟିତ୍ରୀମାନେ ଚକ୍‌, ଡଷ୍ଟର ବଦଳରେ ଥର୍ମୋମିଟର ଓ ସାନିଟାଇଜର୍‌ ଧରି ଲୋକଙ୍କ ସେବା, ତଦାରଖ କରିଥିଲେ। ଜଗନ୍ନାଥପୁର ଓ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ପ୍ରବାସୀଙ୍କ ଆଗମନ ତଦାରଖ ହେଉ କି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ପ୍ରବାସୀଙ୍କ କଥା ବୁଝାସୁଝା କରିବାରେ ଜିଲ୍ଲାରେ ଆଗରେ ଥିଲେ ଶିକ୍ଷକ। ଜିଲ୍ଲାର ପ୍ରାୟ ୧୦ହଜାରରୁ ଅଧିକ ଶିକ୍ଷକ କରୋନା ଯୁଦ୍ଧରେ ଆଗଧାଡ଼ି ସୈନିକ ଭାବେ ଲୋକଙ୍କ ଜୀବନ ବଞ୍ଚାଇବା ଅଭିଯାନରେ ଲାଗିଥିଲେ।

ଏହି ଲଢ଼େଇରେ ଜିଲ୍ଲାର ୧୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ମହାମାରୀ କବଳିତ ହୋଇ ପ୍ରାଣବଳି ମଧ୍ୟ ଦେଇଛନ୍ତି। କବିସୂର୍ଯ୍ୟନଗର ବ୍ଲକ ଏସ୍‌.ପଙ୍କଳବାଡ଼ି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସିମାଞ୍ଚଳ ଶତପଥୀ ଜିଲ୍ଲାରେ ପ୍ରଥମ ଶିକ୍ଷକ ଭାବେ ଜୁଲାଇ ୩ତାରିଖରେ ପ୍ରାଣ ହରାଇଥିଲେ। ଜୁଲାଇ ମାସରେ ୧୧ଜଣ ଏବ˚ ଅଗଷ୍ଟ ମାସରେ ୨ଜଣ ଏହିପରି ଜିଲ୍ଲାର ସମୁଦାୟ ୧୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ଯୁଦ୍ଧରେ ସହିଦ୍‌ ହୋଇଛନ୍ତି।

ଜୁଲାଇ ୪ତାରିଖରେ କେ.ରାଇସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଦ୍ଧାର୍ଥ ଶଙ୍କର ପାଢୀ ଜୀବନ ହାରିଥିଲେ। ଜୁଲାଇ ୮ତାରିଖରେ କବିସୂର୍ଯ୍ୟନଗର ଗଙ୍ଗାଧର ବିଦ୍ୟାପୀଠର ଶିକ୍ଷକ ଡି.ରାମେଶ୍ବର ଆଚାରୀ, ୧୧ତାରିଖରେ ସଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଧନ ଶିକ୍ଷକ ଗୌରହରି ବେହେରା ଏବ˚ ୧୭ତାରିଖରେ ଦିଗପହଣ୍ତି ବ୍ଲକ କେ.ସାମନ୍ତରାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବ˚ଶୀଧର ବେହେରା କରୋନା ଯୁଦ୍ଧରେ ସହିଦ୍‌ ହୋଇଥିଲେ। ସେହିପରି ୧୮ତାରିଖରେ କବିସୂର୍ଯ୍ୟନଗର ଶିଆଳିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଓ କୁକୁଡ଼ାଖଣ୍ତି ବ୍ଲକ ଡେଙ୍ଗାପଦର ସ୍ଥିତ ଇନ୍ଦିରା ଆବାସ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ କରୋନା ଯୁଦ୍ଧରେ ହାରି ଯାଇଥିଲେ।

୨୧ ତାରିଖରେ ପୁରୁଷୋତ୍ତପୁରର କନକା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଟି.ବିଜୟଲକ୍ଷ୍ମୀ କରୋନାରେ ମୃତ୍ୟୁବରଣ କରିଥିଲେ। ଜୁଲାଇ ୨୨ତାରିଖରେ ଜିଲ୍ଲାର ୨ଜଣ ଶିକ୍ଷକ କରୋନାରେ ଜୀବନ ହାରିଥିଲେ। ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ ଓ ସୋରଡ଼ା ବ୍ଲକ ସରାବାଡ଼ି ହାଇସ୍କୁଲର ପଣ୍ତିତ ଭାସ୍କର ସାହୁଙ୍କ ମୃତ୍ୟୁ ଘଟିଥିଲା। ଜୁଲାଇ ୨୮ତାରିଖରେ ଶେରଗଡ଼ ବ୍ଲକ ଠୁରୁବୁରାଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବଶିଷ୍ଠ ପ୍ରହରାଜ କରୋନା ଯୁଦ୍ଧରେ ହାରି ଯାଇଥିଲେ। ଆଉ ଅଗଷ୍ଟ ୧୭ ତାରିଖରେ ଜିଲ୍ଳାର ଦୁଇ କୋଭିଡ଼୍ ଯୋଦ୍ଧା ଶିକ୍ଷକ ଜୀବନ ହାରିଛନ୍ତି। ଭଞ୍ଜନଗର ବ୍ଲକର ଗଣଶିକ୍ଷକ କୁଶଧ୍ବଜ ସେଠୀ ଏବ˚ ବୁଗୁଡ଼ା ବ୍ଲକ୍‌ ତାକରଡ଼ା ହାଇସ୍କୁଲର ଶିକ୍ଷକ ରବୀନ୍ଦ୍ର ସେନାପତି ମୃତ୍ୟୁ ବରଣ କରିଥିଲେ।