ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ତେହେରିକ-ଏ-ଇନସାଫର ଇମ୍ରାନ ଖାନ : ଜାତୀୟ ପରିଷଦ ନିର୍ବାଚନରେ ଇମ୍ରାନଙ୍କ ସପକ୍ଷରେ ୧୭୬ ଭୋଟ

24

କନକ ବ୍ୟୁରୋ : ଆଜି ଶପଥ ନେବେ ଇମ୍ରାନ୍ ଖାନ୍ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ତେହରିକ୍-ଏ-ଇନସାଫ୍ ଦଳର ମୁଖ୍ୟ ଇମ୍ରାନ୍ ଖାନ୍ । ସକାଳ ସାଢେ ୯ଟାରେ ଇସଲାମାବାଦ ସ୍ଥିତ ପ୍ରେସିଡେଣ୍ଟ ହାଉସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ୍ ଖାନ୍ ।

ଗତ ସାଧାରଣ ନିର୍ବାଚନରେ ପିଟିଆଇ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବାପରେ କ୍ରିକେଟରରୁ ନେତା ପାଲଟିଥିବା ଇମ୍ରାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଥିଲା। ତାଙ୍କ ଦଳ ପିଟିଆଇ ୧୧୬ ଆସନରେ ବିଜୟୀ ହେବା ସହ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଥିଲା । ଯେଉଁଥି ପାଇଁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ତେବେ ପାକିସ୍ତାନର ନବଗଠିତ ଜାତୀୟ ପରିଷଦର ଗତକାଲି ନିର୍ବାଚନ ହୋଇଥିଲା । ଯେଉଁଥିରେ ଇମ୍ରାନ୍ ୧୭୬ ଟି ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମୁସଲିମ୍ ଲିଗ୍ ନେତା ଶାହବାଜ ସରିଫ ୯୬ ଟି ଭୋଟ୍ ପାଇଥିଲେ । ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ପାକିସ୍ତାନରେ ପହଂଚିଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁୁ । ୱାଘା ବର୍ଡର ଦେଇ ଲାହୋରରେ ପହଂଚିବା ପରେ ସେଠାରୁ ବିମାନରେ ଇସଲାମାବାଦ ଯାଇଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

“ମୁଁ ଏମିତି ନିର୍ବାଚନ ପ୍ରଣାଳୀ ତିଆରି କରିବି ଯଦ୍ୱାରା ଭବିଷ୍ୟତରେ କୈାଣସି ବି ବ୍ୟକ୍ତି ନିର୍ବାଚନରେ ତ୍ରୁଟି ବାହାର କରିପାରିବେନି । କିନ୍ତୁ କେହି ମତେ ବ୍ଲାକମେଲ କରିବାକୁ ଚେଷ୍ଟା ନକରନ୍ତୁ । ମୁଁ କୈାଣସି ଶାସକର କାନ୍ଧରେ ଚଢ଼ି କି ଆସିନି, ୨୨ ବର୍ଷର ସଂଘର୍ଷ ପରେ ମୁଁ ଏହି ସଫଳତା ପାଇଛି । କେବଳ ଜଣେ ନେତା ମୋ ଠାରୁ ଅଧିକ ସଂଘର୍ଷ କରିଛନ୍ତି ଓ ସେ ମୋ ହିରୋ ଜିନ୍ନା ଥିଲେ”, ଇମ୍ରାନ ଖାନ୍ କହିଛନ୍ତି ।