କଲବଲ କରୁଛି କୁହୁଡ଼ି : ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ; ସବୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ସତର୍କ କଲେ ଏସଆରସି

95

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଥିବା ଥଣ୍ଡା ଆଗକୁ ସାମାନ୍ୟ କମିପାରେ । ରାଜ୍ୟରେ ଫୁଲବାଣୀର ଜି. ଉଦୟଗିରିରେ ସର୍ବନିମ୍ନ ୫ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ମଧ୍ୟ ଭାରତରେ ସକ୍ରିୟ ଗୁରୁଚାପ ବଳୟ ବର୍ତ୍ତମାନ ପୂର୍ବମୁହାଁ ହୋଇ ଓଡ଼ିଶା ଆକାଶରେ ରହିଛି । ତେଣୁ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବରୁ ରାଜ୍ୟରେ ଶୀତ କମ ଅନୁଭୂତ ହେବ ।

କିନ୍ତୁ ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ଯୋଗୁ ଆଗାମୀ ତିନି ଦିନ ରାଜ୍ୟରେ ଘନ କୁହୁଡିର ସମ୍ଭାବନା ରହିଛି । ଉପକୂଳଠୁ ଉପାନ୍ତ ସବୁଠି ଘନ କୁହୁଡି ଦେଖିବାକୁ ମିଳିଛି । ୨୦୦ରୁ ୫୦୦ ମିଟର ଦୂରତାରେ ଥିବା ବସ୍ତୁକୁ ଦେଖବା ସମ୍ଭବ ହେବ ନାହିଁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିପାଇଁ କୁହୁଡି ହେବାକୁ ଥିବା ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ସବୁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ଏସଆରସି ସତର୍କ କରିବା ସହ କୁକୁଡି ସମୟରେ ଯେପରି କୌଣସି ଦୁର୍ଘଟଣା ନଘରେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର. ଯାଜପୁର, ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିବ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ମୟୁରଭଞ୍ଜ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।