ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦେଖିବେ ଉଦଘାଟନୀ ମ୍ୟାଚ

85

କନକ ବ୍ୟୁରୋ : ହକିର ଅନ୍ତୁଡ଼ିଶାଳରେ ଆରମ୍ଭ ହେବ ଅନ୍ତର୍ଜାତୀୟ ହକିର ମହାକୁମ୍ଭ। ସେଥିପାଇଁ ଖେଳାଳି ପ୍ରସ୍ତୁତ, ଆୟୋଜକ ଓ ଦର୍ଶକ ବି ପ୍ରସ୍ତୁତ। ପ୍ରଥମ ଦିନରେ ନୂଆ ତିଆରି ହୋଇଥିବା ତଥା ସବୁ ଚର୍ଚ୍ଚାର କେନ୍ଦ୍ରରେ ଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳାଯିବ ।

ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ୱେଲ୍‌ସ ଏବଂ ଦ୍ବିତୀୟ ମ୍ୟାଚ୍‌ ଭାରତ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁବସିଥିବା ବେଳେ ଷ୍ଟାଡିୟମ ବି ପ୍ରସ୍ତୁତ ହୋଇସାରିଲାଣି । ଉଦ୍‌ଘାଟନୀ ମ୍ୟାଚ୍‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଉରକେଲାରେ ପହଞ୍ଚିବାପରେ ଭାରତ-ସ୍ପେନ ମ୍ୟାଚ୍‌କୁ ଉପଭୋଗ କରିବେ । ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାତି ରାଉରକେଲାରେ କଟାଇବେ ଓ ଶନିବାର ସକାଳୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି ।

ବିଶ୍ବକପ୍‌ ପାଇଁ ରାଉର​କେଲାରେ ନାହିଁ ନଥିବା ଉତ୍ସାହ । ଉଦ୍‌ଘାଟନୀ ଉତ୍ସବରେ ଭାରତର ମ୍ୟାଚ୍‌ ଥିବାରୁ ଷ୍ଟାଡିୟମ ଦର୍ଶକରେ ଉଚ୍ଛୁଳି ପଡ଼ିବା ଅନୁମାନ କରାଯାଉଛି । ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦର୍ଶକଙ୍କ ଆଗମନ ହେବା ଆଶା କରାଯାଉଛି । ଗୁରୁବାରଠାରୁ ଅନ୍ୟ ରାଜ୍ୟର ଦର୍ଶକ ରାଉରକେଲାରେ ପହଞ୍ଚିସାରିଲେଣି । ଏମାନେ ସହରର ବିଭିନ୍ନ ହୋ‌ଟେଲରେ ରହୁଛନ୍ତି । ଆଜିକାର ସ୍ଥିତି ଏମିତି ଯେ ଆଜି ସହରରେ ଗୋଟିଏ ହୋଟେଲ୍‌ରେ ବି ରୁମ୍‌ ଖାଲିନାହିଁ । କାଲି ସକାଳୁ ହିଁ ଷ୍ଟାଡିୟମ ଆଖପାଖ ସମେତ ସହରରେ ଦର୍ଶକଙ୍କ ଭିଡ଼ ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି ।

ଅପରପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୋଟ୍‌ ୫୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଷ୍ଟାଡିୟମ ସମେତ ରାଉରକେଲା ସହର ସାରା ଆଲୋକ ସଜ୍ଜା କରାଯାଇଛି । ଇସ୍ପାତ ସହରର ରିଂ ରୋଡ୍‌ ସମେତ ସିଭିଲ ଟାଉନସିପ୍‌, ଉଦିତନଗର, ଛେଣ୍ଡ୍‌, ବାସନ୍ତୀକଲୋନି, ପାନପୋଷ ଅଞ୍ଚଳରେ ଆଖି ଝଲମଲ ଆଲୋକ ବ୍ୟବସ୍ଥା ହୋଇଛି । ରିଂ ରୋଡ୍‌ର ପ୍ରମୁଖ ଛକରେ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯାଇଛି ।