କ୍ଷୁଦ୍ର ଉଦ୍ୟୋଗୀଙ୍କୁ ମୋଦିଙ୍କ ଦୀପାବଳି ଉପହାର : ୫୯ ମିନିଟରେ କୋଟିଏ ଟଙ୍କା ଋଣ

୧ କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଋଣ ଉପରେ ୨% ସୁଧ ରିହାତି 

130

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦି  ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଆଗୁଆ ଦୀପାବଳି ଉପହାର ଘୋଷଣା କରିଛନ୍ତି । ଏହି କ୍ଷେତ୍ରର ଉଦ୍ୟୋଗଗୁଡ଼ିକୁ ୫୯ ମିନିଟ ମଧ୍ୟରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଦିଲ୍ଲୀରେ ଏମ୍‌ଏସ୍‌ଏମ୍‌ଇ ସହାୟତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସରକାର ୧୨ଟି ନୀତି ପ୍ରସ୍ତୁତ କରିଛନ୍ତି । ଏହି ନୀତି ଓ ସୁବିଧା ଏମଏସଏମଇ କ୍ଷେତ୍ର ପାଇଁ ଦୀପାବଳି ଉପହାର ବୋଲି ମୋଦୀ କହିଛନ୍ତି ।

ଏହି ନୀତି ଦ୍ବାରା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ସହଜରେ ଋଣ ପାଇପାରିବେ। ଫଳରେ ଏହା ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ଯେଉଁ ୧୨ଟି ଐତିହାସିକ ନିଷ୍ପତ୍ତି ନିଆଯାଇଛି ସେଗୁଡ଼ିକ ମଧ୍ୟରେ ୫୯ ମିନିଟରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ସୁବିଧା ରହିଛି । ଏଥିସହିତ ଜିଏସଟିରେ ପଞ୍ଜୀକୃତ ଏମଏସଏମଇ ଗୁଡ଼ିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଯେଉଁ ଅତିରିକ୍ତ ଋଣ ନେବେ ‌ତାହା ଉପରେ ୨ ପ୍ରତିଶତ ସୁଧ ରିହାତି ପାଇବେ। ଏହି କ୍ଷେତ୍ରର ରପ୍ତାନିକାରୀଙ୍କ ପାଇଁ ମଧ୍ୟ ମୋଦୀ ସୁଧ ରିହାତି ବଢ଼ାଇଛନ୍ତି । ମୋଦୀ କହିଛନ୍ତି, ସାମଗ୍ରୀ ରପ୍ତାନି ହେବା ପୂର୍ବରୁ ଏବଂ ପରେ ଉଦ୍ୟୋଗୀମାନେ ଯେଉଁ ଋଣ ନେଉଛନ୍ତି ତାହା ଉପରେ ୩ ପ୍ରତିଶତ ସୁଧ ରିହାତି ଦିଆଯାଉଥିବା ବେଳେ ଏବେ ତାହାକୁ ୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ମଧ୍ୟ ଏମ୍‌ଏସ୍‌ଏମ୍‌ଇ ‌କ୍ଷେତ୍ରକୁ ପ୍ରୋତ୍ସାହନ ଦେବେ । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ସେମାନଙ୍କ ମୋଟ ବାର୍ଷିକ ସାମଗ୍ରୀ କ୍ରୟର ୨୦ ପ୍ରତିଶତ ସାମଗ୍ରୀ ଏବେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରୁ କ୍ରୟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ୨୫ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଛନ୍ତି । ସରକାରୀ ଉଦ୍ୟୋଗ ଗୁଡ଼ିକୁ ବର୍ଷକୁ ଅତିକମ୍‌‌ରେ ୨୫ ପ୍ରତିଶତ ସାମଗ୍ରୀ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କଠାରୁ ସଂଗ୍ରହ କରିବାକୁ ହେବ ବୋଲି ମୋଦୀ କହିଛନ୍ତି ।

ତେବେ ମହିଳା ଉଦ୍ୟୋଗୀଙ୍କ ଦ୍ବାରା ପରିଚାଳିତ ଏମ୍‌ଏସ୍‌ଏମଇ ଗୁଡ଼ିକରୁ ଅତିକମ୍‌ରେ ୩ ପ୍ରତିଶତ ସାମଗ୍ରୀ ସଂଗ୍ରହ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ସବୁ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗକୁ ସରକାରଙ୍କ ଇ-ମାର୍କେଟପ୍ଲେସର ସଦସ୍ୟତା ହାସଲ କରିବାକୁ ହେବ। ଏହାହେଲେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥା ଆବଶ୍ୟକ କରୁଥିବା ସାମଗ୍ରୀ ଓ ସେବାର ଅନଲାଇନ ସଂଗ୍ରହ ସମ୍ଭବ ହୋଇପାରିବ।

ପ୍ରଯୁକ୍ତିଗତ ଉନ୍ନତି ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ୬୦୦୦ କୋଟିର ଏକ ଘୋଷଣା କରିଛନ୍ତି। ଏହି ଅର୍ଥରେ ଦେଶରେ ୨୦ଟି ହବ୍ ଓ ୧୦୦ଟି ଟୁଲ୍‌ ରୁମ୍ ସ୍ଥାପନ ହେବ । ୫୦୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କମ୍ପାନି ଗୁଡ଼ିକୁ ଟିଆଇଇଡିଏସ ( ଟ୍ରେଡ ରିସିଭେବଲ୍ସ ଇ-ଡିସକାଉଣ୍ଟିଂ ସିଷ୍ଟମ) ପ୍ଲାଟଫର୍ମକୁ ଆସିବାକୁ ହେବ । ଏହାହେଲେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରଗୁଡ଼ିକ ପାଇଁ ନଗଦ ଅର୍ଥ ପ୍ରବାହରେ ‌କୌଣସି ଅସୁବିଧା ରହିବ ନାହିଁ ବୋଲି କୁହାଯାଇଛି । ଦେଶରେ ଇନ୍ସପେକ୍ଟର ରାଜ୍ ବ୍ୟବସ୍ଥାରୁ ଉଦ୍ୟୋଗଗୁଡ଼ିକୁ ଆହୁରି ମୁକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

କମ୍ପ୍ୟୁଟର ବ୍ୟବସ୍ଥାରେ ଯେକୌଣସି ଗୋଟିଏ କମ୍ପାନିକୁ ଚୟନ କରାଯାଇ ଯାଞ୍ଚ ପାଇଁ ମଞ୍ଜୁରି ଦିଆଯିବ । ଇନ୍ସପେକ୍ଟରମାନେ ‌ସେମାନଙ୍କ ଯାଞ୍ଚ ରିପୋର୍ଟକୁ ପୋର୍ଟାଲରେ ୪୮ ଘଣ୍ଟା ମଧ୍ୟରେ ଅପଲୋଡ୍ କରିବେ । କୌଣସି ଇନ୍ସପେକ୍ଟରଙ୍କୁ ଆଉ କାରଖାନାକୁ ଯିବାକୁ ପଡ଼ିବ ନାହିଁ। ଏପରିକି କାରଖାନାକୁ ଗଲେ କାହିଁକି ଯାଇଥିଲେ ବୋଲି ସେମାନଙ୍କୁ ପ୍ରଶ୍ନ କରାଯିବ ବୋଲି ମୋଦୀ ସତର୍କ କରାଇ ଦେଇଛନ୍ତି । ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ପାଇଁ ପରିବେଶ ମଞ୍ଜୁରି ନିୟମକୁ କୋହଳ କରାଯିବ । ବାୟୁ ଓ ଜଳ ବ୍ୟବହାର ଅନୁମତି ପାଇଁ ସେମାନଙ୍କୁ ଗୋଟିଏ ମାତ୍ର ମଞ୍ଜୁରିର ଆବଶ୍ୟକତା ପଡ଼ିବ ।

କାରଖାନା ସ୍ଥାପନ ପାଇଁ ସେମାନଙ୍କୁ ଗୋଟିଏ ମାତ୍ର ମଞ୍ଜୁରି ଆବଶ୍ୟକ ପଡ଼ିବ ବୋଲି ମୋଦୀ କହିଛନ୍ତି । ୮ଟି ଶ୍ରମ ଆଇନ ଓ ୧୦ଟି କେନ୍ଦ୍ରୀୟ ନିୟମ ପାଇଁ ସେମାନଙ୍କୁ ମାତ୍ର ଗୋଟିଏ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ଆଇନ ଅଧୀନରେ ଛୋଟକାଟିଆ ତ୍ରୁଟିରେ ଜରିମାନା ଆଦାୟକୁ ସରଳ କରିବା ପାଇଁ ଏକ ଅଧ୍ୟାଦେଶ ଘୋଷଣା କରାଯାଇଛି । ଦେଶବ୍ୟାପୀ ୧୦୦ ଜିଲ୍ଲାରେ ୧୦୦ ଦିନ ପାଇଁ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।