ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ଅଭିଯୁକ୍ତକୁ ଧରିବା ପରେ ପୋଲିସକୁ ମିଳିଲା କଟା ମୁଣ୍ଡ । ଜାଣନ୍ତୁ, କେମିତି ଥିଲା ପୂରା ଘଟଣା..

706

କନକ ବ୍ୟୁରୋ: ପୁଷ୍ପଲତାଙ୍କ ହତ୍ୟାକାଣ୍ଡ ଯେତିକି ବିଭତ୍ସ ଥିଲା, ସେତିକି ଚତୁରତାର ସହ ହତ୍ୟାକାରୀ ଖସିଯିବାକୁ ଉଦ୍ୟମ କରିଥିଲା । ହେଲେ ହତ୍ୟାକାରୀର ସବୁ ଚତୁରତାକୁ ନିଷ୍ଫଳ କରିଦେଇଛି କମିଶନରେଟ୍ ପୁଲିସ୍ । ମୁଣ୍ଡନଥିବା ମୃତଦେହକୁ ଧରି ତଦନ୍ତ ଆରମ୍ଭ କରିଥିବା ପୁଲିସ୍, ମୁଣ୍ଡ ଠାବ କରିବା ଯେତେ ବଡ଼ ଆହ୍ୱାନ ଥିଲା, ତାଠୁ ଅଧିକ ବଡ଼ ଚ୍ୟାଲେଞ୍ଜ ଥିଲା ହତ୍ୟାକାରୀ ପାଖରେ ପହଂଚିବା ।

କେମିତି ହତ୍ୟାକାରୀ ପାଖରେ ପହଂଚିଲା ପୁଲିସ୍?
କେମିତି ରହସ୍ୟ ଉପରୁ ପୁଲିସ୍ ହଟାଇଲା ପରଦା?

ଚନ୍ଦକା ଜଙ୍ଗଲ ରାସ୍ତା ଦେଇ ଯାଇଥିବା ରାସ୍ତା ପାଖରେ, ମୃତଦେହ ଏଭଳି ଢ଼ଙ୍ଗରେ ପଡ଼ିରହିଥିଲା । ପୁଲିସ୍ର ପ୍ରଥମ ଆହ୍ୱାନ ଥିଲା ମୃତଦେହକୁ ଚିହ୍ନଟ କରିବା । ଏଥିପାଇଁ ପୁଲିସ୍, କଟକ-ଭୁବନେଶ୍ୱର ସବୁ ଥାନାରେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କଲା । ଆଉ ଚାରିଆଡେ ମୃତକଙ୍କ ସମ୍ପର୍କରେ ତଥ୍ୟ ଦେଇ ପୋଷ୍ଟର ମରାଗଲା । ଏହି ଅଭିଯାନରେ ପୁଲିସ୍କୁ ପ୍ରଥମେ ଏକ ବଡ଼ ସଫଳତା ମିଳିଲା, ଯେତେବେଳେ ମୃତକଙ୍କ ମା’ ଆସି କହିଲେ, ସେ ମୋ ଝିଅ । ଏହି କଥା କମିଶନରେଟ୍ ପୁଲିସର ତଦନ୍ତର ମୋଡ଼ ବଦଳାଇ ଦେଲା ।

ମା ସାମ୍ନାକୁ ଆସିଯିବା ପରେ ପୁଲିସ୍କୁ ହତ୍ୟାକାରୀ ପାଖରେ ପହଂଚିବା ଆଉ ଦୂର ନଥିଲା । ପୁଷ୍ପଲତା ସଂଜୟ ସାଙ୍ଗରେ ରହୁଥିବା କଥା ସାମ୍ନାକୁ ଆସିଲା । ପୁଲିସ୍ ସଂଜୟର ଫୋନ୍ ନମ୍ବର ସଂଗ୍ରହ ଗଲା ଏବଂ ଫୋନ୍ କଲା । ପ୍ରଥମେ ଫୋନ୍ ଅଚଳ ଥିବାର ସୂଚନା ଆସିଲା । କିନ୍ତୁ ଜଣାପଡ଼ିଗଲା, ଫୋନ୍ ଦଶପଲ୍ଳା ଅଂଚଳରେ ଅଛି । ଆଉ ପୁଲିସ୍ର ସୌଭାଗ୍ୟ ହେଉ କିମ୍ବା ସଂଜୟର ଦୁଃଭାଗ୍ୟ, ଯାହା ବି କୁହନ୍ତୁ, ଫୋନ୍ ସହିତ ଦଶପଲ୍ଳା ଠାବ ହୋଇଗଲା ସଂଜୟ । ବାସ୍, ଆଉ କଥା କଷ୍ଟନଥିଲା । ସଂଜୟ ହାତକୁ ଆସିଯିବା ପରେ ପୁଲିସ୍କୁ ସତ ଓଗାଲିବା କଷ୍ଟକର ନଥିଲା । କିନ୍ତୁ ପ୍ରମାଣ ବି ସେତିକି ଜରୁରୀ । ମୃତଦେହ ପାଖରେ ପଡ଼ିଥିବା ଗ୍ଲୋଭସ ଓ ଛୁରୀ ପୁଲିସ୍ର କାମକୁ ଆହୁରି ସହଜ କରିଦେଲା । ଆଉ ଏଭଳି ଭାବରେ ଭୁବନେଶ୍ୱରରେ ପୁଷ୍ପଲତାଙ୍କ ହତ୍ୟାକାରୀର ଅଭିଯୁକ୍ତ ଧରାପଡ଼ିବା ସହ ହତ୍ୟାକାଣ୍ଡର ପୁରା କାହାଣୀର ସାମ୍ନାକୁ ଆସିଗଲା ।