ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା : ଜାଣନ୍ତୁ, ହତ୍ୟାକାଣ୍ଡ ପଛର ବୀଭତ୍ସ କାହାଣୀ ।

5,054

କନକ ବ୍ୟୁରୋ: ୨୮ ବର୍ଷିୟ ମହିଳା ପୁଷ୍ପଲତାଙ୍କ ସହ ଯେଭଳି ନାରକୀୟ ଘଟଣା ଘଟିଛି, ଯାହା ବୟାନ କରିବା କଷ୍ଟକର । ଯେଉଁ ବ୍ୟକ୍ତି ଉପରେ ସବୁଠାରୁ ଅଧିକ ବିଶ୍ୱାସ ଥିଲା, ଯେଉଁ ବ୍ୟକ୍ତିଙ୍କୁ ସେ ଦୁନିଆରେ ସବୁଠାରୁ ନିଜର ବୋଲି ଭାବୁଥିଲା, ଶେଷରେ ସେହି ବ୍ୟକ୍ତି ହିଁ ତାର ତଂଟି ଚିପି ପ୍ରାଣ ନେଇଗଲା । ଆଉ ତାପରେ ମୁଣ୍ଡକାଟି ଦୁଇ କିଲୋମିଟର ଦୁରରେ ଫିଙ୍ଗି ଦେଲା ।

ଆଜି ସକାଳୁ ସକାଳୁ ଅଭିଯୁକ୍ତ ସଂଜୟକୁ ନେଇ ଚନ୍ଦ୍ରକା ଜଙ୍ଗଲରେ ପହଂଚିଥିଲା କମିସନରେଟ୍ ପୁଲିସ୍ । ସେତେବେଳକୁ ପୁରା କାହାଣୀ, ପୁଲିସ୍ ଜାଣିସାରିଥିଲା । କିନ୍ତୁ ଶେଷ ଥର ପାଇଁ ଅଭିଯୁକ୍ତର ସେହି ଘୃଣ୍ୟ କର୍ମ ସମ୍ପର୍କରେ ଜାଣିବା ପାଇଁ ସିନ୍ ରିକ୍ରଏଟ୍ ବା ଘଟଣାର ପୁନରାବୃତ୍ତି କରାଇଥିଲା ପୁଲିସ୍ ଏବଂ ଯାହା ଯାହା ଅଭିଯୁକ୍ତ ପୁଲିସ୍ ଆଗରେ ବୟାନ କରୁଥିଲା, ସେହି ଅନୁସାରେ ହିଁ ସବୁ କଥାର ପୁନରାବୃତ୍ତି କରାଯାଇଥିଲା ।

ସ୍ୱାମୀର ମୃତ୍ୟୁ ପରେ ସଂଜୟକୁ ସାହାରା ବନାଇ ନେଇଥିଲେ ପୁଷ୍ପଲତା । କୌଣସି କାରଣ ବଶତଃ ସଂଜୟ ସହ ବିବାଦ ପରେ ଆଉ ଜଣକୁ ବାହା ହୋଇଯାଇଥିଲେ । କିନ୍ତୁ କିଛି ଦିନ ପରେ ପୁଣି ଥରେ ସଂଜୟ ପାଖକୁ ଫେରି ଆସିଥିଲେ ପୁଷ୍ପଲତା । କିନ୍ତୁ ସେ ଜାଣିନଥିଲେ, ଯେ ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ କରିଦେଲେ । ସଂଜୟ ଆଉ ପୂର୍ବ ଭଳି ନଥିଲା । ସେ ଏଥର ସଇତାନ ବନିଯାଇଥିଲା । ଛୋଟିଆ କଥାକୁ ନେଇ ପୁଷ୍ପଲତାଙ୍କ ତଂଟି ଚିପିଦେଲା । ଆଉ ସେଇଠି ପୁଷ୍ପଲତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ତାଙ୍କୁ ଯେମିତି କେହି ଚିହ୍ନିପାରିବେ ନାହିଁ, ସେ ଉର୍ଦ୍ଦେଶ୍ୟରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ସଂଜୟ । ଆଉ ଏଥିରେ ସହଯୋଗ କରିଥିଲା, ଚନ୍ଦୁ ନାମକ ଜଣେ ରାଜମିସ୍ତ୍ରୀ । ଆଉ ଏହିଭଳି ଭାବରେ ଗତ ୪ ତାରିଖରେ ଘଟିଥିବା ଘଟଣା ଉପରୁ ପରଦା ହଟାଇଛି କମିଶନରେଟ୍ ପୁଲିସ୍ । ଯେତେବେଳେ ଭୁବନେଶ୍ୱରର ଛାତି ଉପରେ ମୁଣ୍ଡବିହିନ ମୃତଦେହ ଉଦ୍ଧାର ହୋଇଥିଲା, ସେତେବେଳେ ହତ୍ୟାକାରୀକୁ କଠୋରରୁ କୋଠାର ଦଣ୍ଡ ଦେବା ପାଇଁ ସୋସିଆଲ ମିଡିଆରେ ଦାବି ହୋଇଥିଲା । ଆଉ ଶେଷରେ ହତ୍ୟାକାରୀ ପାଖରେ ପହଂଚିଛି ପୁଲିସ୍ ।