ଏକାମ୍ରକ୍ଷେତ୍ରରେ ବାଇ ଲ’କୁ ନେଇ ତୀବ୍ର ଅସନ୍ତୋଷ । ତୁରନ୍ତ ପ୍ରତ୍ୟାହାର ଦାବି କଲେ ସେବାୟତ ନିଯୋଗ । ସରକାରଙ୍କୁ ଦେଲେ ୨୪ ଘଣ୍ଟାର ମହଲତ ।

71

କନକ ବ୍ୟୁରୋ: ଜାତୀୟ ସ୍ମାରକୀ ପ୍ରାଧୀକରଣ ଦ୍ୱାରା ପ୍ରସ୍ତାବିତ ଅଧିନିୟମକୁ ନେଇ ତାତିଛନ୍ତି ଶ୍ରୀଲିଙ୍ଗରାଜଙ୍କ ସେବାୟତ । ବିଜେଡି ଓ ବିଜେପି ସାଂସଦଙ୍କ ହସ୍ତକ୍ଷେପ ପରେ ୨୪ ଘଂଟା ପରେ ପୁରୀ ଶ୍ରୀମନ୍ଦିରରୁ ବାଇ-ଲ ହଟିଛି । ହେଲେ ଏକାମ୍ରକ୍ଷେତ୍ର ବେଳକୁ କାହିଁକି ପାତରଅନ୍ତର କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ ନିଯୋଗ ।

ଆସନ୍ତା ୨୪ ଘଂଟା ମଧ୍ୟରେ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଦାବି ରଖିଛି ସେବାୟତ ନିଯୋଗ । ଲିଙ୍ଗରାଜ ମନ୍ଦିରର ସେବାୟତ କହିଛନ୍ତି, ବିଜ୍ଞପ୍ତି ପ୍ରକାଶ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା କୌଣସି ପରାମର୍ଶ କରିନାହାନ୍ତି । ବାଇ-ଲ ଲାଗୁ ହେଲେ ଶହ ଶହ ସେବାୟତ ପରିବାର ପ୍ରଭାବିତ ହେବେ । ପ୍ରସ୍ତାବିତ ଅଧିନିୟମ ୨୪ ଘଂଟା ଭିତରେ ପ୍ରତ୍ୟାହାର କରାନଗଲେ ଲିଙ୍ଗରାଜ ମନ୍ଦିର ସାମ୍ନାରେ ଦୀପ ଜଳାଇ ବିରୋଧ ପ୍ରଦର୍ଶନ କରିବେ ବୋଲି ସେବାୟତ କହିଛନ୍ତି ।

ସେପଟେ ଏକାମ୍ରକ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି, ଏହି ଶୈବପୀଠ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଲିଙ୍ଗରାଜ ଆସୁଛନ୍ତି । ଏହି ବିଶ୍ୱପ୍ରସିଦ୍ଧ ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ବି ଅନେକ ପଦକ୍ଷେପ ନେଇଛନ୍ତି । ତେଣୁ ଭଗବାନ, ସେବାୟତ ଓ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଚିଠିରେ ଅନୁରୋଧ କରାଯାଇଛି ।