ଓଡିଶାର ରହସ୍ୟମୟ ଋଷି ଗୁମ୍ଫା: ପାହାଡ ତଳେ ଶିବଲୋକ । ପଥର ଫଟାଇ ମହାଦେବଙ୍କ ମଥାରେ ଝରୁଛି ଝରଣା । କଣ ରହିଛି ଅଲୌକିକତା…?

1,031

କନକ ବ୍ୟୁରୋ: ଗୁମ୍ଫା ! ଏ ଶଦ୍ଧଟି ମନକୁ ଆସିଲେ ରାଜା ରାଜୁଡା ଅମଳର ଅନେକ କଥା ମନକୁ ଆସେ । କିଏ କରିଥିଲେ ? କେବେ ତିଆରି କରିଥିଲେ ଏହି ଗୁମ୍ଫାକୁ । ଆଉ ଗୁମ୍ଫର ରହସ୍ୟ କଣ ? ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୁଏ । ତେବେ ସୁନ୍ଦରଗଡର ଘଞ୍ଚ ଜଙ୍ଗଲ ଭିତରେ ସେମିତି ଏକ ଋଷି ଗୁମ୍ଫା ରହିଛି ଯାହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି ।

ଋଷି ଗୁମ୍ଫାକୁ ଯିଏ ଦେଖିଛି ସେ ହତବାକ୍ ହୋଇଯାଇଛି । ଗୁମ୍ଫାର ଲମ୍ବ କେତେ କାହାକୁ ଜଣାନାହିଁ । ପ୍ରକୃତି ମଣିଷ ପାଇଁ ଯେଉଁ ଦାନ ଦେଇଛି, ତାକୁ ଦେଖି ଆପଣ ବି କହିବେ ଓଃ କି ସୁନ୍ଦର ଋଷି ଗୁମ୍ଫା ! ଗୁମ୍ଫାଟି ସୁନ୍ଦରଗଡ ହେମଗିରି ବ୍ଲକ ଘୋରଘୋରପାଲି ଗାଁ ନିକଟ ଜଙ୍ଗଲ ଭିତରେ ରହିଛି । ଗୋଟିଏ ଛୋଟିଆ ମୁହଁ ଦେଇ ଗୁମ୍ଫା ଭିତରକୁ ପ୍ରବେଶ କରିବା ପରେ ଦେଖିବାକୁ ମିଳେ ପ୍ରାକୃତିକ କାରୁକାର୍ଯ୍ୟ । ବଡ ବଡ କୋଠରୀ ସହ ଗୋଲ ଗୋଲ ଗମ୍ବୁଜ ଆଉ ଚିକ୍କଣ ପଥର । ଧଳାପଥର ଉପରେ ସୁଡଙ୍ଗ ଭଳି ରାସ୍ତା । ଗୁମ୍ଫାର ପୂରା ଚିତ୍ର ଦେଖିବା ପାଇଁ ସେହି ରାସ୍ତାରେ ଗୋଟିଏ ପରେ ଗୋଟିଏ ଦ୍ୱାର ଦେଇ ଗୁରୁଣ୍ଡି ଗୁରୁଣ୍ଡି ୫ରୁ ୬ କିଲୋମିଟର ଯିବାକୁ ପଡିବ ।

ତେବେ ଏହି ଋଷି ଗୁମ୍ଫା ଭିତର କିଛି ରାସ୍ତାରେ ରହସ୍ୟମୟ ଝରଣା ଦେଖିବାକୁ ମିଳେ । ଆଉ ଝରଣା ତଳେ ଥିବା ଶିବ-ଲିଙ୍ଗକୁ ଦେଖିଲେ ହିନ୍ଦି ଫିଲ୍ମ ବାହୁବଳୀର ଦୃଶ୍ୟର ଭ୍ରମ ସୃଷ୍ଟି କରେ । ତେବେ ସ୍ଥାନୀୟ ଲୋକ କୁହନ୍ତି ଏହି ଗୁମ୍ଫା ଆହୁରି ଅଧିକ ଲମ୍ବ ହୋଇଥିବା ବେଳେ ପୂର୍ବରୁ ଏଠାର ମୁନିଋଷିମାନେ ସାଧନା କରୁଥିଲେ ।

ତେବେ ଏବେ ପିକନିକର ଋତୁ ଚାଲୁଥିବାରୁ ସୁନ୍ଦରଗଡର ଋଷି ଗୁମ୍ଫା ବୁଲିବାକୁ ସ୍ଥାନୀୟ ଲୋକେ ଯାଉଛନ୍ତି । ମାତ୍ର ହେମଗିରିରେ ଥିବା ଏହି ଗୁମ୍ଫା ବିଷୟରେ ଜିଲ୍ଲାପ୍ରଶାସନ କି ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ । ତେଣୁ ଏହି ଗୁମ୍ଫା ଲୋକ ଲୋଚନକୁ ଆସି ପାରିନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।