ଚାଷୀଙ୍କୁ ସ୍ୱାବଲମ୍ବୀ କରିବ ‘ସମୃଦ୍ଧି’ । କୃଷକଙ୍କ ଆୟ ବୃଦ୍ଧି କରିବାକୁ ଅଣ୍ଟା ଭିଡ଼ିଲେ ସରକାର, ଆଣିଲେ କୃଷିନୀତି । ପଢ଼ନ୍ତୁ ଏହି କୃଷିନୀତିରେ କ’ଣ ରହିଛି ?

741

କନକ ବ୍ୟୁରୋ: ଓଡ଼ିଶା କୃଷି ଓ କୃଷଙ୍କୁ ରାଜ୍ୟ ସରକାରଙ୍କ ଫୋକସ୍ । କୃଷିନୀତିର ଶକ୍ତିକୁ ସମୃଦ୍ଧ କରିବା ପାଇଁ ୨୦୧୯ ସମୃଦ୍ଧି କୃଷିନୀତିକୁ ଗତକାଲି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହାଦ୍ୱାରା କୃଷି କ୍ଷେତ୍ରରେ ଥିବା ଅସୁବିଧା ଗୁଡ଼ିକୁ ଦୂର କରିବା, ସମ୍ବଳର ସୁବିନିଯୋଗ କରିବା ସହ ଆଧୁନିକ ଯୁଗରେ ବୈଷୟିକ ଜ୍ଞାନର ସଦୁପଯୋଗ କରିବା ପାଇଁ ଏହି କୃଷି ନୀତି ପ୍ରଣୟନ କରାଯାଇଛି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା…
-କୃଷକମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି ନିଶ୍ଚିତ କରିବା
-କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା
-କୃଷି ଅଭିବୃଦ୍ଧିକୁ ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଏବଂ ବିସ୍ତାର କରାଇବା

ସେହିପରି ଓଡ଼ିଶା କୃଷିର ଲକ୍ଷ୍ୟ ସାଧନ ପାଇଁ ପ୍ରମୁତ ମାପଦଣ୍ଡ ନିର୍ଣ୍ଣୟ କରିଛନ୍ତି (SAMRIDHI) ରାଜ୍ୟ ସରକାର ସେଗୁଡ଼ିକ ହେଲା-
•S-(Science) ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ
•A-(Adaptation) ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା
•M-(Market) କୃଷି ଉତ୍ପାଦ ପାଇଁ ବଜାର (ଘରୋଇ ଓ ଆର୍ନ୍ତଜାତିକ, ଭୌତିକ ଓ ଅର୍ଥନୈତିକ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ କୃଷି ବଜାର
• R-(Resource) ଉତ୍ପାଦନ ବୃଦ୍ଧି ନିଶ୍ଚିତ କରିବା ସମ୍ବଳର ସୁବିନିଯୋଗ
• I-(Infrastructure) ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ
• D-(Diversification) ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦନର ବିବିଧିକରଣ
• H-(HumanResource) ମାନବ ସମ୍ବଳର ଉନ୍ନତି ଓ କୌଶଳ ବିକାଶ
• I-(Institutions) ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରିବା

ଏହି କୃଷି ନୀତିରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯାଇଛି:
-କୃଷି ସାମଗ୍ରୀ, ତାହାର ଉତ୍ପାଦନ ଓ ବଜାର ସହିତ ସଂଯୁକ୍ତିକରଣ ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି ।
-ଧାନ ଉତ୍ପାଦନର ନିରନ୍ତର ବୃଦ୍ଧି ଏବଂ ଉଚ୍ଚ ମୂଲ୍ୟଯୁକ୍ତ କୃଷିର ବିବିଧକରଣକୁ ଫୋକସ୍ କରାଯାଇଛି ।
-କୃଷି ସାଧନ: ଭୂମି,ଜଳ ଓ ମୃତ୍ତିକାର ବ୍ୟବହାର କୌଶଳ ଏବଂ ପରିବେଶ ଉପଯୋଗୀ ହେବା ପାଇଁ ଉତ୍ସାହିତ କରାଯାଇଛି । ଏହାସହ କୃଷିର ଉତ୍ତମ ମୂଲ୍ୟ ପାଇଁ ଉତ୍ପାଦିତ ସାମଗ୍ରୀକୁ ପରିସ୍କାର କରିବା, ବର୍ଗୀକରଣ କରିବା ଇତ୍ୟାଦିର ପ୍ରକ୍ରିୟାକରଣକୁ ବିଶେଷ ପ୍ରୋତ୍ସାହନ ଦିଆଯାଇଛି ।
-ବିଶେଷ ଭାବରେ ପନିପରିବା, ଫଳ, ଦୁଗ୍ଧ, ମାଂସ ଇତ୍ୟାଦିର ମୂଲ୍ୟ ଶୃଙ୍ଖଳ ସୃଷ୍ଟି କରିବା ଏହି କୃଷି ନୀତିର ମୂଳଲକ୍ଷ୍ୟ ।
-କୃଷି ଉତ୍ପାଦ ସଂଗଠନ ସୃଷ୍ଟି କରିବା ପାଇଁ ଉତ୍ସାହିତ କରିବା ।
-ପ୍ରାକ ଓ ପରବର୍ତ୍ତୀ ଅମଳ ପରିଚାଳନା କରି ଅପଚୟ କମ୍ କରିବା
-ଜଳବାୟୁ ପରିବର୍ତ୍ତନକୁ ଖାପଖୁଆଇ ପରି ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଇ ରାଜ୍ୟ ତଥା ଦେଶର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ।
-କୃଷି ଓ କୃଷକ କ୍ଷେତ୍ରରେ ଥିବା ଅସୁବିଧା ଗୁଡ଼ିକୁ ଦୂର କରିବା ଓ ପ୍ରକୃତିକ ସମ୍ବଳର ସୁବିନିଯୋଗ ପାଇଁ ଯୋଜନା କରାଯାଇଛି ।
-ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ କରିବା ସହ ଯୋଜନା ଏବଂ ପର୍ଯ୍ୟାଲୋଚନା ପାଇଁ ବିଭିନ୍ନ ଡାଟାକୁ ବ୍ୟବହାର କରିବା ମୂଳ ଲକ୍ଷ୍ୟ ।

ସବୁଠାରୁ ବଡ଼ କଥା ହେଲା କି, ଯେଉଁସବୁ ମୁଖ୍ୟ ଦିଗକୁ ଫୋକସ କରି ଏହି କୃଷି ନୀତି ପ୍ରସ୍ତୁତ ହୋଇଛି ତାହା ଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି ହେବ । ତେଣୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ମତ୍ସ୍ୟଚାଷ, ପ୍ରାଣୀପାଳନ, କୃଷିଜାତ ଦ୍ରବ୍ୟ କ୍ରୟ, ଋଣ, ବୀମା ଓ ଜଳସେଚନ ଆଦି ଦିଗପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ତେବେ ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ତିନିଟି ସୋପାନକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତୁତ ହୋଇଥିବା କୃଷିନୀତିକୁ ଗତକାଲି ମୋହର ମାରିଛି କ୍ୟାବିନେଟ ତେବେ ଅନେକ ଦିନରୁ ଚାଷୀଙ୍କୁ ଅବହେଳା ହୋଇ ଆସୁଥିବା ଅଭିଯୋଗ ପରେ ଚାଷୀ କିପରି ସ୍ୱାବଲମ୍ବୀ ହୋଇପାରିବେ ତାହା ଉପରେ୍ ଫୋକସ ଦେଇଛନ୍ତି ରାଜ୍ୟ ସରକାର ।