ଦିନ ଯାଇଛି, ଦରଜ ଯାଇନି । ମେନ୍ଦ୍ରାଜପୁର ବସ ଟ୍ରାଜେଡିରୁ ବର୍ଷେ । ଛାତିଥରା ଦୁର୍ଘଟଣାକୁ ଏବେବି ଭୁଲିପାରୁ ନାହାନ୍ତି ବିବାହ କରିଥିବା ଦମ୍ପତ୍ତି ।

1,236

କନକ ବ୍ୟୁରୋ: ମେଣ୍ଡରାଜପୁରର ଭୟାନକ ବସ୍‌ ଅଘଟଣ ୧୦ଜଣ ବନ୍ଧୁ ପରିଜନଙ୍କ ସହ ମୋର ଦୁଇ ଭଉଣୀଙ୍କୁ ମୋ ଠାରୁ ଅଫେରା ରାଇଜକୁ ନେଇଯାଇଛି। ସେହି ଘଟଣାକୁ ବର୍ଷେ ପୂରିଛି। ସମୟ ବିତିଯାଇଛି କିନ୍ତୁ ସେହି ଛାତିଥରା ଅଘଟଣ ଆଜି ବି ମୋ ଆଖି ଆଗରେ ନାଚି ଉଠୁଛି। ଘଟଣାକୁ ସାରା ଜୀବନ ଭୁଲିବା ସମ୍ଭବ ନୁହେଁ’ ବୋଲି କହିଛନ୍ତି ଡଙ୍କଲପାଡ଼ୁ ଗାଁର ଅଶୋକ ରେଡ୍ଡୀ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମର ୟୁ. ସନ୍ୟାସୀ ରେଡ୍ଡୀଙ୍କ ପୁଅ ଅଶୋକଙ୍କ ବାହାଘର ଚିକରଡ଼ାର ବୁଲୁ ରେଡ୍ଡିଙ୍କ ଝିଅ ପଲ୍ଲବୀ(ପଦ୍ମା)ଙ୍କ ସହ ସ୍ଥିର ହୋଇଥିଲା। ୨୦୨୦ ଫେବ୍ରୁଆରି ୯ ତାରିଖରେ ନିର୍ବନ୍ଧ ରହିଥିଲା। ପୁଅ ଘର ଲୋକେ ‘ସିଲକ୍‌ ସିଟି’ ନାମକ ଏକ ବସରେ ନିର୍ବନ୍ଧ ପାଇଁ ଚିକରଡ଼ା ଅଭିମୁଖେ ବାହାରିଥିଲେ। ଘର ଠାରୁ ମାତ୍ର ୨କିମି ଦୂର ମେଣ୍ଡରାଜପୁର ଛକରେ ଘଟିଥିଲା ଛାତିଥରା ଅଘଟଣ। ରାସ୍ତାରେ ଯେଭଳି ମୃତ୍ୟୁ ଛକି ରହିଥିଲା। ଝୁଲି ରହିଥିବା ଏକ ୧୧କେଭି ବିଦ୍ୟୁତ ତାର ବସ୍‌ ସଂସ୍ପର୍ଶରେ ଆସିଥିଲା। ସମୁଦାୟ ବସଟି କରେଣ୍ଟ ଚାର୍ଜ ହୋଇଯିବା ସହ ୧୨ଜଣ ଆଖି ବୁଜିବା ସହ ୧୧ଜଣ ଗୁରୁତର ହୋଇଥିଲେ। ନିର୍ବନ୍ଧ ଅଧୁରା ରହି ଯାଇଥିଲା। ଦିନକ ପରେ ଅର୍ଥାତ୍ ୧୧ତାରିଖରେ ହେବାକୁ ଥିବା ଅଶୋକଙ୍କ ବାହାଘର ବି ଅନିଶ୍ଚିତ ହୋଇଯାଇଥିଲା। ଏହି ଘଟଣାର ୩ ମାସ ପରେ ସବୁ ଦୁଃଖକୁ ଛାତି ତଳେ ଚାପି ଗତ ଜୁନ୍‌ ୨୯ତାରିଖରେ ଅଶୋକ ଏବଂ ପଲ୍ଲବୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିରାଡ଼ମ୍ବର ଭାବେ ଚିକରଡ଼ା ସ୍ଥିତ ଏକ ମନ୍ଦିରରେ ବିବାହ ଶେଷ ହୋଇଛି। ଏହି ଅଘଟଣ ପରବର୍ତ୍ତୀ ସମୟରେ ନୂଆ ଜୀବନ ଆରମ୍ଭ କରିଥିବା ନବଦମ୍ପତିଙ୍କ ଲାଗି ଏହି ଅଘଟଣ ସବୁଦିନ ଲାଗି ଅଭୁଲା ହୋଇଯାଇଛି।

ସେହିଦିନର ଘଟଣାକୁ ମନେପକାଇ କୋହଭରା କଣ୍ଠରେ ଅଶୋକ କହିଛନ୍ତି ଯେ, ‘ପ୍ରାୟ ୪୮ଜଣ ବନ୍ଧୁ ପରିଜନଙ୍କୁ ନେଇ ବସ୍‌ ଗାଁରୁ ବାହାରିଥିଲା। ଗାଁରୁ ଚିକରଡ଼ା ମାତ୍ର ୬କମି। କନ୍ୟା ଘରେ ପହଞ୍ଚିବା ଲାଗି ମାତ୍ର ଅଧାଘଣ୍ଟା ଲାଗିଥାନ୍ତା। ବସ୍‌ ପଛରେ ଏକ ସ୍କୁଟିରେ ମୁଁ ଯାଉଥିଲି। ବସ୍‌ ଠାରୁ ମୁଁ ୫୦ମିଟର ଦୂରରେ ଥିବା ବେଳେ ଏହି ଘଟଣା ଘଟିଗଲା। ଜଣକୁ ଉଦ୍ଧାର କରିବାକୁ ଯାଇଁ ମୁଁ ବି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲି, ହେଲେ ଅଳ୍ପକେ ବର୍ତ୍ତିଯାଇଥିଲି । ଭଗବାନ ମୋତେ ବଞ୍ଚାଇ ଦେଲେ। ଏହି ଘଟଣାଟି ମୋ ପାଇଁ ଅଭୁଲା ହୋଇ ରହିଗଲା। ଅଙ୍ଗପ୍ରତ୍ୟଙ୍ଗ ହରାଇଥିବା ଗାଁର ବାସିନ୍ଦା ଓ ବନ୍ଧୁ ପରିଜନଙ୍କୁ ଦେଖିବା କ୍ଷଣି ସେହି ଲୋମଟାଙ୍କୁରା ଘଟଣା ମନରେ ନାଚି ଉଠୁଛି। ଏଥିର ମେଣ୍ଡରାଜପୁର ଛକ ଦେଇ ଗଲାବେଳେ ସେହି ଘଟଣାସ୍ଥଳକୁ ଦେଖିବା କ୍ଷଣି ଆଖିରେ ମୋର ଲୁହ ଆସିଯାଉଛି’ ବୋଲି ଆଶୋକ କହିଛନ୍ତି। ଏହି ଘଟଣା ପରେ ଆଉ ବିବାହ କରିବିନି ବୋଲି ନିଷ୍ପତ୍ତି ନେଇଥିଲି। କିନ୍ତୁ ଆଉ କାହାର ଜୀବନ ହନ୍ତସନ୍ତ ହେଉ ତାହା କେବେ ବି ମୁଁ ଓ ଆମ ପରିବାରବର୍ଗ ଚାହିଁ ନ ଥିଲୁ। ଯେଉଁଠି ବିବାହ ସ୍ଥିର ହୋଇଥିଲା ସେଠାରେ ହିଁ ବିବାହ କରିବା ଲାଗି ନିଷ୍ପତ୍ତି ନେଇଥିଲି। ଘଟଣାର ୩ମାସ ପରେ ପଦ୍ମାଙ୍କୁ ହିଁ ବିବାହ କରିଥିଲି ବୋଲି ଅଶୋକ କହିଛନ୍ତି।