ଚାଷୀର ଭାତହାଣ୍ଡିକୁ ଉଜାଡିଦେଲା ଜୱାଦ : ହେକ୍ଟର ହେକ୍ଟର ଜମିରେ ପାଣି ଭିତରେ ପଡି ରହିଛି ପାଚିଲା ଧାନ

ଅମଳ ଆଶା ଛାଡି ଦେଇଛନ୍ତି ଚାଷୀ, ଏପଟେ ମଣ୍ଡି ଖୋଲିନଥିବାରୁ ସଅଳ ଅମଳ ଧାନ ବିକ୍ରିକୁ ନେଇ ଚିନ୍ତା

92

କନକ ବ୍ୟୁରୋ :  ବାତ୍ୟା ଜୱାଦ ଓଡିଶାର ଭାତହାଣ୍ଡିରେ ମାଡ କରିଛି । ବାତ୍ୟା ସିନା ସମୁଦ୍ରରେ ଦୁର୍ବଳ ହୋଇଗଲା, ହେଲେ ତା ପ୍ରଭାବରେ ହୋଇଥିବା ବର୍ଷା ହଜାର ହଜାର ହେକ୍ଟର ଜମିର ଧାନ ଫସଲ ନଷ୍ଟ କରିଦେଲା । ଲୋକ ପାଣି ସୁଅରୁ ଧାନକୁ ବଂଚେଇବାକୁ ଚେଷ୍ଟା କରୁଛନ୍ତି । ହେଲେ ତାହା ସମ୍ଭବ ହେଉନାହିଁ । ପାଣିରେ ଧାନ ଗଛ ସଂପୂର୍ଣ୍ଣ ବୁଡି ରହିଛି । ଗଂଜାମ ଜିଲ୍ଲା ପୋଲସରା ଅଂଚଳର ଚାଷ ଜମିରେ ଧାନ ଫସଲ ପୁରା ଉଜୁଡି ଯାଇଛି । ଧାନ କ୍ଷେତକୁ ଦେଖି ଚାଷୀ ଅମଳ ଆଶା ଛାଡ଼ି ଦେଇଛନ୍ତି । ଚାଷକୁ ବର୍ଷା ଭସେଇ ନେବାରୁ ସହାୟତା ଦାବି କରିଛନ୍ତି ଚାଷୀ ।

ଜୱାଦ୍‌ ପ୍ରଭାବରେ ଶନିବାର ରାତିରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ସବୁ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ କେତେକ ସ୍ଥାନରେ ବାଦଲଫଟା ବର୍ଷା ହୋଇଥିଲା । ସରକାରୀ ରିପୋର୍ଟ ମୁତାବକ ଗତକାଲିଠାରୁ ଆଜି ଅପରାହ୍ନ ଭିତରେ କଟକ ଜିଲ୍ଲାର ନିଆଳିରେ ସର୍ବାଧିକ ୯୬ ମିଲିମିଟର ବର୍ଷା ହୋଇଥିବା ବେଳେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ରେ ୬୫ ମିଲିମିଟର ବର୍ଷା ହୋଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ରେ ସର୍ବାଧିକ ୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ, ଜଗତସିଂହପୁରର ଏରସମା ବ୍ଲକ୍‌ରେ ସର୍ବାଧିକ ୨୨୦ ମିଲିମିଟର ଓ ବାଲିକୁଦାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ତୁଳନାରେ ଜଗତସିଂହପୁରରେ ଢ଼େର୍‌ ଅଧିକ ବର୍ଷା ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ବିଲରେ ଥିବା ଧାନଫସଲ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

ସରକାରୀ ସୂଚନା ମୁତାବକ, କଟକ ଜିଲ୍ଲାର ୧ ଲକ୍ଷ ୬ହଜାର ୬୪୫ ହେକ୍ଟର୍‌ ଜମିରେ ପାଚିଲା ପାଚିଲା ଧାନ ପଡ଼ି ରହିଥିବା ବେଳେ ଜଗତସିଂହପୁରରେ ୫୫ହଜାର ହେକ୍ଟର୍‌ ଜମିରେ ଓ କେନ୍ଦ୍ରାପଡ଼ାରେ ୯୧ହଜାର ହେକ୍ଟର୍‌ ଜମିରେ ଧାନ ବିଲରେ ପଡ଼ି ରହିଛି । ବର୍ଷା ପରେ ଅଧିକାଂଶ ସ୍ଥାନରେ ବିଲରେ ପାଚିଲା ଧାନଗଛ ସବୁ ପାଣିରେ ଲୋଟୁଛି । ବର୍ଷା ଛାଡ଼ିବା ଓ ଜମିରୁ ପାଣି ଖସିବା ବେଳକୁ ଫସଲର ଅବସ୍ଥା କଣ ହେବ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଚାଷୀମାନେ ଫସଲ କ୍ଷତି ହେବାକୁ ନେଇ ଆଶଙ୍କିତ ଅବସ୍ଥାରେ ଥିବା ବେଳେ ବର୍ଷା ଛାଡ଼ିବା ପରେ ପ୍ରକୃତ କ୍ଷୟକ୍ଷତିର ହିସାବ ମିଳିବ ବୋଲି କୃଷି ବିଭାଗ କହୁଛି ।

ବାତ୍ୟା ଜୱାଦ ସିନା ଉପକୂଳ ଛୁଇଁଲା ନାହିଁ । ଝଡ ପ୍ରଭାବରେ ପବନ ସିନା ବହିଲା ନାହିଁ । ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇଥିବା ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି । ଧାନ ଅମଳ ବେଳକୁ ଅଦିନିଆ ବର୍ଷା ଯୋଗୁଁ ସବୁ ଉଜୁଡି ଯାଇଛି । ରାଜ୍ୟ ସରକାର ଖୁବଶୀଘ୍ର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ।

ଧାମରାରେ ବିଳମ୍ବିତ ରାତିରେ ସମୁଦ୍ରରୁ ମାଡି ଆସିଲା ୨୦ ଫୁଟ ଉଚ୍ଚର ଜୁଆର । ଅମାବାସ୍ୟା ଥିବାରୁ ସମୁଦ୍ର ଅଧିକ ଅଶାନ୍ତ ଥିଲା । ଜୁଆର ମାଡି ଆସିବାରୁ ସମୁଦ୍ର ଭିତରକୁ ଭାସିଗଲା କ୍ୱିଂଟାଲ କ୍ୱିଂଟାଲ ଶୁଖୁଆ । ଏବେ ଶୁଖୁଆ ଆମଦାନୀର ସଠିକ୍ ସମୟ ହୋଇଥିବାରୁ ଦୋସିଙ୍ଗା ସହ ଧାମରା, ଅମରନଗର, ଚନ୍ଦନୀପାଳ ଆଦି ଅଂଚଳରେ ଶହ ଶହ ମତ୍ସ୍ୟଜୀବୀ ଶୁଖୁଆ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି । ହେଲେ ହଠାତ୍ ସମୁଦ୍ର ଜୁଆର ମାଡି ଆସିଥିଲା । ଗାଁରେ ପଶିଯାଇଥିଲା ଜୁଆର ପାଣି । ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ସମୁଦ୍ର ଭିତରକୁ ଭାସି ଯାଇଥିଲା । ୪୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର ପ୍ରାଣ ବିକଳରେ ପହଁରି ପହଁରି ବାତ୍ୟା ଆଶ୍ରୟସ୍ଥଳକୁ ପଳାଇ ଯାଇଥିଲେ । ଏବେ ପରିବାର କିପରି ପ୍ରତିପୋଷଣ କରିବେ, ସେନେଇ ଚିନ୍ତାରେ ଶୁଖୁଆ ବ୍ୟବସାୟୀ ।