ବିଧାନସଭାରେ ଶାସକ-ବିରୋଧୀଙ୍କ ପ୍ରତିବାଦ । ବିରୋଧୀଙ୍କ ହଟ୍ଟଗୋଳ, ଗୃହକୁ ୪ଟା ଯାଏଁ ମୁଲତବୀ କଲେ ବାଚସ୍ପତି ।

111

କନକ ବ୍ୟୁରୋ : ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା ଓ ପ୍ରତିବାଦ ଜାରି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟ ନାରାବାଜି କରିଥିବା ବେଳେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମକୁ ଘେରି ରହିଥିଲେ । ଯାହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି । ଗୃହରେ ପ୍ରତିବାଦ ପରେ ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ ।  ଆଉ ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ବିଧାନସଭା ଆରମ୍ଭରୁ ହିଁ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନି । ତେଣୁ ରାଜ୍ୟର ଅନେକ ସମସ୍ୟା ଗୃହରେ ଆଲୋଚନା ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।