ଜୱାଦ ପ୍ରଭାବ : ଜିଲ୍ଲାପାଳଙ୍କୁ ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ; ରିଲିଫ କୋର୍ଡ ଅନୁଯାୟୀ ଚାଷୀଙ୍କୁ ମିଳିବ ସହାୟତା

171

କନକ ବ୍ୟୁରୋ : ବାତ୍ୟା କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ କୋର୍ଡ ଅନୁଯାୟୀ ଚାଷୀଙ୍କୁ ସହାୟତା ମିଳିବ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି ।

ଜୱାଦ୍‌ ପ୍ରଭାବରେ ଶନିବାର ରାତିରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ସବୁ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ କେତେକ ସ୍ଥାନରେ ବାଦଲଫଟା ବର୍ଷା ହୋଇଥିଲା । ସରକାରୀ ରିପୋର୍ଟ ମୁତାବକ ଗତକାଲିଠାରୁ ଆଜି ଅପରାହ୍ନ ଭିତରେ କଟକ ଜିଲ୍ଲାର ନିଆଳିରେ ସର୍ବାଧିକ ୯୬ ମିଲିମିଟର ବର୍ଷା ହୋଇଥିବା ବେଳେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ରେ ୬୫ ମିଲିମିଟର ବର୍ଷା ହୋଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ରେ ସର୍ବାଧିକ ୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ, ଜଗତସିଂହପୁରର ଏରସମା ବ୍ଲକ୍‌ରେ ସର୍ବାଧିକ ୨୨୦ ମିଲିମିଟର ଓ ବାଲିକୁଦାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ତୁଳନାରେ ଜଗତସିଂହପୁରରେ ଢ଼େର୍‌ ଅଧିକ ବର୍ଷା ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ବିଲରେ ଥିବା ଧାନଫସଲ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

ସରକାରୀ ସୂଚନା ମୁତାବକ, କଟକ ଜିଲ୍ଲାର ୧ ଲକ୍ଷ ୬ହଜାର ୬୪୫ ହେକ୍ଟର୍‌ ଜମିରେ ପାଚିଲା ପାଚିଲା ଧାନ ପଡ଼ି ରହିଥିବା ବେଳେ ଜଗତସିଂହପୁରରେ ୫୫ହଜାର ହେକ୍ଟର୍‌ ଜମିରେ ଓ କେନ୍ଦ୍ରାପଡ଼ାରେ ୯୧ହଜାର ହେକ୍ଟର୍‌ ଜମିରେ ଧାନ ବିଲରେ ପଡ଼ି ରହିଛି । ବର୍ଷା ପରେ ଅଧିକାଂଶ ସ୍ଥାନରେ ବିଲରେ ପାଚିଲା ଧାନଗଛ ସବୁ ପାଣିରେ ଲୋଟୁଛି । ବର୍ଷା ଛାଡ଼ିବା ଓ ଜମିରୁ ପାଣି ଖସିବା ବେଳକୁ ଫସଲର ଅବସ୍ଥା କଣ ହେବ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଚାଷୀମାନେ ଫସଲ କ୍ଷତି ହେବାକୁ ନେଇ ଆଶଙ୍କିତ ଅବସ୍ଥାରେ ଥିବା ବେଳେ ବର୍ଷା ଛାଡ଼ିବା ପରେ ପ୍ରକୃତ କ୍ଷୟକ୍ଷତିର ହିସାବ ମିଳିବ ବୋଲି କୃଷି ବିଭାଗ କହୁଛି ।