ଗୋଟିଏ ଗୁଳି ନେଇଗଲା ନବଙ୍କ ଜୀବନ: ଶରୀର ଭେଦ କରି ବାହାରି ଯାଇଥିଲା ଗୁଳି

1,723

କନକ ବ୍ୟୁରୋ: ଆଜି ଓଡିଶା ଇତିହାସ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଶୋକରେ ବୁଡି ରହିଛି ସାରା ଓଡିଶା । ନବ ଦାସଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା । ଯାହା ତାଙ୍କ ଶରୀର ଭେଦ କରି ବାହାରି ଯାଇଥିଲା । ହାର୍ଟ ଓ ବାମପଟ ଫୁସଫୁସକୁ କ୍ଷତାକ୍ତ କରିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଅପରେସନ ଯୋଗେ କ୍ଷତକୁ ବନ୍ଦ କରାଯାଇଥିଲା । ସମସ୍ତ ଉଦ୍ୟମ ପରେ ବି ହାର୍ଟ କାମ ଦେଇନଥିଲା । ଶେଷରେ ଆଖିବୁଜିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଓ ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେଠାରେ ମୁତୟନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଅନ୍ୟଜଣେ କନେଷ୍ଟବଳ । ସବୁ ଏତେ ହଠାତ ଘଟିଗଲା ଯେ, କେହି କିଛି ବୁଝି ପାରିନଥିଲେ । ଗୁଳିକାଣ୍ଡ ପରେ ଗୋପାଳଙ୍କୁ କାବୁ କରି ପୋଲିସ ନିଜ ହେପାଜତରେ ରଖିଛି ।

ପରେ ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଏତେ ସଂକଟାପନ୍ନ ଥିଲା ଯେ ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଅଣାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ ଆପୋଲୋ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଥିଲା । ଖୁବ କମ ସମୟ ଭିତରେ ଅପୋଲୋ ପହଁଚାଯାଇଥିଲା । ଆପୋଲୋର ବିଶେଷଜ୍ଞ ଡାକ୍ତରୀ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । କଟକ ଏସସିବି ମେଡିକାଲ ଓ କ୍ୟାପିଟାଲ୍ ହସପିଟାଲର ଡାକ୍ତରୀ ଟିମ୍ ଆପୋଲୋରେ ପହଁଚିଥିଲେ । ହେଲେ ଦୀର୍ଘ ଘଣ୍ଟାର ଚିକିତ୍ସା ପରେ ଶେଷରେ ବିଫଳ ହୋଇଥିଲେ ଡାକ୍ତରୀ ଟିମ ଆଉ ଆଖି ବୁଜିଥିଲେ ମନ୍ତ୍ରୀ ନବ ଦାସ ।