ହାଟ, ଗୋଦାମରେ କରୋନା ମାଡ଼ : ଆଳୁଗଦି, ୟୁନିଟ-୪ ଓ ୟୁନିଟ-୧ ସବୁଠୁ ଅଧିକ ପ୍ରଭାବିତ; ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି

132

କନକ ବ୍ୟୁରୋ : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତେ ବଢ଼ୁଛି ହାଟ ବଜାର ସେତେ ପ୍ରଭାବିତ ହେଉଛି । ଏବେ ରାଜଧାନୀର ଦୁଇଟି ପ୍ରମୁଖ ହାଟ ୟୁନିଟ-୧, ୟୁନିଟ୍‌-୪ରେ ବହୁ ବ୍ୟବସ‌ାୟୀ, ହାଟରେ କାମ କରୁଥିବା ଲୋକ କରୋନା ଆକ୍ରାନ୍ତ ହୋଇସାରିଲେଣି । ରାଜଧାନୀ ସମେତ ପାଖଆଖ ଜିଲ୍ଲାକୁ ଆଳୁ, ପିଆଜ ଓ ବାହାର ରାଜ୍ୟରୁ ଆସୁଥିବା କଞ୍ଚା ପରିବା ଯୋଗାଉଥିବା ଆଇଗିଣିଆ ଆଳୁଗଦିରୁ ବି ବହୁ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେଣୁ ଏବେ ଏହି ସବୁ ପ୍ରମୁଖ ସ୍ଥାନରେ କରୋନା ଆକ୍ରାନ୍ତ ବଢ଼ିବା ରାଜଧାନୀ ପାଇଁ ଚିନ୍ତାର କାରଣ ପାଲଟିଛି। ବିଏମ୍‌ସି ଲୋକଙ୍କୁ ଯେତେ ବୁଝାଇଲେ ବି ଲୋକ ମାନୁନାହାନ୍ତି । ସାମାଜିକ ଦୂରତା ନେଇ କେହି ସଚେତନ ହେଉନାହାନ୍ତି । ଦେହରେ ଦେହ ଘଷି ହାଟରେ ପରିବା ବ୍ୟାଗ୍‌ ଧରି ‌ଏ ଦୋକାନରୁ ସେ ଦୋକାନକୁ ବୁଲୁଛନ୍ତି । କେଉଁଠି ଦୁଇ ତିନି ଟଙ୍କା କମ୍‌ରେ ମିଳିବ ତାହା ଖୋଜୁ ଖୋଜୁ ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି । ରାଜଧାନୀର ସବୁ ପରିବା ହାଟରେ ଏହି ଅବସ୍ଥା । କିନ୍ତୁ ଏହି ତିନିଟି ପ୍ରମୁଖ ହାଟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଲୋକ ଏହାକୁ ଖାତିର କରୁନାହାନ୍ତି । ଯାହା ବିଏମ୍‌ସି ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସେହିପରି ୟୁନିଟ-୪ ମାଛ ମାର୍କେଟରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ୧୪ଦିନ ସିଲ୍‌ କରାଯାଇଥିଲା । ଏହାପରେ ଆଉ ୧୧ଜଣ ବାହାରିଥିଲେ । କିନ୍ତୁ ୧୪ଦିନ ପରେ ବିଏମ୍‌ସି ହାଟ ଖୋଲିଥିଲା । ଏବେ କିନ୍ତୁ ଆଉ ତିନିରୁ ଚାରି ଜଣ ଆକ୍ରାନ୍ତ ବାହାରିଲେଣି । ଫଳରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୫ ଟପିବାକୁ ବସିଲାଣି । ଯଦିଓ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, କିନ୍ତୁ ବହୁ ଲୋକ ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁନି । ସୂଚନାଯୋଗ୍ୟ ଯେ, ଏହି ଆମିଷ ମାର୍କେଟର ରାଜଧାନୀର ସବୁ ଅଞ୍ଚଳ ସମେତ ଆଖପାଖ ଜିଲ୍ଲାକୁ ମାଛ, ଚିଙ୍ଗୁଡ଼ି ଯୋଗାଣ ହୋଇଥାଏ। ନିକଟରେ ୧୪ଦିନ ପାଇଁ ଗୋଦାମ ସିଲ୍‌ ହୋଇଯାଇଥିବାରୁ ବାହାରେ ଆମିଷ ଦର ବଢ଼ିଯାଇଥିଲା ।

ଅପର‌ପକ୍ଷେ ଆଇଗିଣିଆ ଆଳୁଗଦିରେ ପ୍ରାୟ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ପ୍ରାୟ ୫୦ଜଣ ଆଳୁ ଗଦିରେ କାମ କରନ୍ତି । ଅଧିକାଂଶ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଏହି ଶ୍ରମିକମାନଙ୍କ ମଧ୍ୟରୁ ଗୋଟିଏ ଗୋଦାମରୁ ୯୦% ଅଛନ୍ତି। ପ୍ରଥମେ ଗୋଟିଏ ଗୋଦାମରୁ ଆକ୍ରାନ୍ତ ବାହାରିଥିବାବେଳେ ଏବେ ଆଉ କିଛି ଗୋଦାମର କର୍ମଚାରୀ ଆକ୍ରାନ୍ତ ହେଲେଣି । ଏଠାରେ କରୋନା ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ସମାଧାନର ବାଟ ନଖୋଜିଲେ ରାଜଧାନୀରେ ପରିବା ଦର ନିୟନ୍ତ୍ରଣ ବାହାରକୁ ପଳାଇବ । କାରଣ ରାଜଧାନୀର ଅଧିକାଂଶ ଆଳୁ, ପିଆଜ ଓ ପରିବା ଗୋଦାମ ଏଠାରେ ଅଛି ।